ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ଥରେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଏହି ସଂବେଦନଶୀଳ ଘଟଣାରେ ଜେଲରେ ଥାଇ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଆଜି ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।
ବିକ୍ରମ ପଣ୍ଡା ଜେଲ୍ରେ ଥିବା ସମୟରେ, ଗତ ଅଗଷ୍ଟ ୨୮ ତାରିଖରେ ମାମଲାର ପ୍ରମୁଖ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ୧ ତାରିଖରେ ହାଇକୋର୍ଟରୁ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିବା ପରେ, ସେହି ଦିନ ହିଁ ସାକ୍ଷୀ ଲଳିତ ମଙ୍ଗରାଜ ଗୋଷାଣୀ ନୂଆଗାଁ ଥାନାରେ ଆନୁଷ୍ଠାନିକ ଭାବେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପୋଲିସ ବିକ୍ରମ ପଣ୍ଡାଙ୍କ ନାମରେ ନୂଆ ମାମଲା ରୁଜୁ କରିବା ସହ ତାଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା। ସେହି ନୋଟିସ୍ ଆଧାରରେ ଆଜି ସେ ଥାନାରେ ହାଜର ହୋଇଛନ୍ତି।
ତେବେ ଜେଲ୍ ଭିତରେ ଥାଇ ଅଭିଯୁକ୍ତ କିପରି ସାଧାରଣ ଲୋକ ବା ସାକ୍ଷୀଙ୍କ ସହ ଫୋନ୍ରେ ଯୋଗାଯୋଗ କଲେ, ତାହା ଜେଲ୍ ସୁରକ୍ଷା ଓ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏହି କଲ୍ର ସତ୍ୟାସତ୍ୟ ଓ କଲ୍ ଡିଟେଲ୍ସ ରେକର୍ଡ (CDR) ଯାଞ୍ଚ କରୁଛି। ଅନ୍ୟପଟେ ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ସାକ୍ଷୀଙ୍କୁ ଧମକ ମିଳିବା ଘଟଣା ପରେ ସାକ୍ଷୀ ଲଳିତ ମଙ୍ଗରାଜଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଗୋଷାଣୀ ନୂଆଗାଁ ଥାନା ପୋଲିସ ବିକ୍ରମ ପଣ୍ଡାଙ୍କୁ ଜେରା କରିବା ସହ ଏହି ଧମକପୂର୍ଣ୍ଣ କଲ୍ର ଆଧାର ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି।


