ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ଦିନ ଦ୍ୱିପ୍ରହରରେ ଏକ ଲୋମହର୍ଷଣକାରୀ ତଥା ରକ୍ତାକ୍ତ ହତ୍ୟାକାଣ୍ଡ ଘଟିଯାଇଛି। ସ୍ଥାନୀୟ ଲୋକଙ୍କ ଆଖି ସାମ୍ନାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ବେକକୁ ଧାରୁଆ ଛୁରୀରେ କାଟି ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ଶୁଳିଆପଦା ଥାନା ଅଧୀନ ଗଉଡୁଣୀ ଡୁବା ଗ୍ରାମର ଗୁରା ନାଏକଙ୍କ ୪୫ ବର୍ଷୀୟ ପୁଅ କଟିଆ ନାୟକ ଏବଂ ମୃତକ ହେଉଛନ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀ ସୁକାନ୍ତି ନାଏକ।
ସୂଚନା ଅନୁସାରେ, ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ସୁକାନ୍ତିଙ୍କୁ ନିଜର ଦ୍ୱିତୀୟ ସ୍ତ୍ରୀ ଭାବେ ବିବାହ କରିଥିଲେ କଟିଆ। ଆଜି ଉଭୟ ବାଗଡିହା ଛକ ନିକଟରେ ବସି କଥାବାର୍ତ୍ତା ହେଉଥିବା ବେଳେ କୌଣସି ବିଷୟକୁ ନେଇ କଟିଆ ହଠାତ୍ ଉଗ୍ରରୂପ ଧାରଣ କରିଥିଲେ। ଏହାପରେ ସେ ପାଖରେ ରଖିଥିବା ଏକ ଧାରୁଆ ଛୁରୀ ବାହାର କରି ସ୍ତ୍ରୀ ସୁକାନ୍ତିଙ୍କ ବେକକୁ ନିର୍ମମ ଭାବେ କାଟି ପକାଇଥିଲେ। ବେକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ଆଡ଼କୁ ଦୌଡ଼ି ଆସି ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ତାଙ୍କ ବେକରେ ଗୋଟିଏ ଚାଦର ବାନ୍ଧି ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିବା ସହ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।
ଏହି ଜଘନ୍ୟ କାଣ୍ଡ ପରେ ସମଗ୍ର ବାରିପଦା ସହର ତଥା ଆଖପାଖ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଟାଉନ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ କଟିଆକୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରୀକୁ ଜବତ କରାଯାଇଛି। ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ବର୍ବରୋଚିତ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ଜାଣିବା ପାଇଁ ପୁଲିସ ଅଭିଯୁକ୍ତକୁ ଜେରା ଜାରି ରଖିଛି।


