ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍ ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଏକ ସ୍କର୍ପିଓକୁ ପଛପଟୁ ଧକ୍କା ଦେଇଛି। ଫଳରେ ସ୍କର୍ପିଓରେ ଥିବା ୧୨ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ପଠାଇଥିଲେ। ସେଠାରେ ଦୁଇ ଆହତଙ୍କ ଚିକିତ୍ସା ଚାଲିଛି।
ଅନ୍ୟପଟେ, ଟୁରିଷ୍ଟ ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଦୁର୍ଘଟଣା ସତ୍ତ୍ୱେ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି। କୌଣସି ବସ୍ ଯାତ୍ରୀ ଗୁରୁତର ଆହତ ହୋଇନଥିବା ସୂଚନା ମିଳିଛି।
ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍ଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା ଏବଂ ଦୁର୍ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।


