ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍.ଜି. ଛକର ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଏଗାର ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ପ୍ରଚଣ୍ଡ ଖରା ଓ ବର୍ଷାକୁ ଖାତିର ନକରି ମୁକ୍ତାକାଶ ତଳେ ଦିନରାତି ବିତାଉଛନ୍ତି। ବିନା ଦରମାରେ ୩୦ ବର୍ଷଧରି କାର୍ଯ୍ୟକରି ଅକଥନୀୟ ଅନ୍ୟାୟ ଅବିଚାରର ଶିକାର ହୋଇଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ସହିତ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ କରି ରାଜ୍ୟସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ସୂଚନାଥାଉକି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଦାବି ହାସଲ ପାଇଁ ଦିନରାତି ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି। ଧୈର୍ଯ୍ୟର ସୀମା ଅତିକ୍ରମ କରି ଚାଲିଛି, ହେଲେ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ନିଷ୍ପତ୍ତି ଗ୍ରହଣ କରାଯାଉ ନାହିଁ। ଉଚ୍ଚସ୍ତରୀୟ କମିଟି ତାଙ୍କର ରିପୋର୍ଟ ସରକାରଙ୍କୁ ଦେଇସାରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟି ଚାଲିଛି। ଶିକ୍ଷାର ବିକାଶ ପାଇଁ ସରକାର ବାରମ୍ବାର କହୁଥିଲା ବେଳେ ଅବୈତନିକ ଭାବରେ ବିନା ଚାକିରିସର୍ତ୍ତରେ ଶିକ୍ଷକ କର୍ମଚାରୀମାନଙ୍କୁ ଖଟାଇବାକୁ ଚାହୁଁଛନ୍ତି ବୋଲି ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।
ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା,୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା, ସମସ୍ତ ବିଦ୍ୟାଳୟକୁ ସରକାରୀ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନ୍ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ସହ ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂର କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍ନାଲ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା ଆଦି ରହିଛି । ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କ ଧାରାବାହିକ ଆନ୍ଦୋଳନ ଓ ସରକାରଙ୍କର ବାରମ୍ବାର ପ୍ରତାରଣା ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଟାଣିଆଣୁଛି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ।
ସରକାର ତୁରନ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବିକୁ ମାନି ନିଅନ୍ତୁ ଓ ଦେଇଥିବା ପ୍ରତିଶ୍ରୁତି ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହ ପେନ୍ସନ୍ ଏବଂ ଅନୁଦାନ ପ୍ରଦାନ କରନ୍ତୁ। ସରକାର ତାଙ୍କର ଆଭିମୁଖ୍ୟ ନ ବଦଳାଇଲେ ଆଗାମୀ ଦିନରେ ଶିକ୍ଷକ ଆନ୍ଦୋଳନ ଗଣଆନ୍ଦୋଳନରେ ପରିଣତ ହୋଇ ଭୟଙ୍କର ସ୍ଥିତିକୁ ଯିବ। ଫଳରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।


