Categories
ଆଜିର ଖବର ରାଜ୍ୟ ଖବର

୧୯ ଦିନରେ ଅହୋରାତ୍ର ଗଣଧାରଣା: ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତିକୁ ଅପେକ୍ଷା କରି ରହିଲେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୧୯ ଦିନରେ ପହଞ୍ଚିଛି। ସମସ୍ୟା ସମାଧାନ ଦିଗରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକାତ୍ମକ ଧାରଣାରେ ବସିଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଶିକ୍ଷକ  ଓ ଶିକ୍ଷାକର୍ମଚାରୀମାନଙ୍କର ଦାବୀ ପୂରଣ ଦିଗରେ ସରକାର ସହାୟକ ହୁଅନ୍ତୁ ଓ ସମସ୍ୟା ସମାଧାନ ଦିଗରେ ତତ୍‌ପରତା ପ୍ରକାଶ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରନ୍ତୁ।

ସୂଚନାଥାଉକି, ୧୯ ଦିନ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ଆଉ କେତେ ଦିନ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ରାଜରାସ୍ତାରେ ଶୁଖିଲା ମୁଁହରେ ବସିଥିବେ ବୋଲି ଓଷ୍ଟା ପକ୍ଷରୁ ପ୍ରଶ୍ନ କରାଯିବା ସହ ସରକାର ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟାକୁ ସମାଧାନ କରି ମାନବିକତାର ପରିଚୟ ଦିଅନ୍ତୁ ବୋଲି କୁହାଯାଇଛି। ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବୀଗୁଡ଼ିକ ମଧ୍ୟରେ ୨୦୧୩ ଅନୁଦାନ ଆଇନରୁ ବଞ୍ôଚତ ହୋଇଥିବା ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକ ସମସ୍ତ ମାନଦଣ୍ଡକୁ ପରିପୂର୍ଣ୍ଣ କରିଥିଲେ ମଧ୍ୟ ସେହି  ବିଦ୍ୟାଳୟଗୁଡ଼ିକୁ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଶିକ୍ଷକ ଓ ଶିକ୍ଷାକର୍ମଚାରୀ  ପ୍ରାୟ ୨୫ରୁ ୩୦ ବର୍ଷ ନିଜ ଜୀବନକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କଲାପରେ ବିନା ପାରିଶ୍ରମିକରେ ଅବସର ନେଇଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ଏହି ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ। ୨୬୦୮ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ମିଳୁନାହିଁ।

୩୦ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରି ଶିକ୍ଷକଟି ୬୦ ବର୍ଷରେ ଅବସର ନେଲାପରେ ଶୂନ୍ୟହସ୍ତରେ ଅବସର ନେଉଛନ୍ତି ଓ ତାଙ୍କୁ ଅବସରକାଳୀନ ସୁବିଧା ଦବାର ବ୍ୟବସ୍ଥା ନାହିଁ। ତେଣୁ ସରକାରଙ୍କୁ ଅନୁରୋଧ କରି ଜଣାଉଛୁ କି ଅବସର ନେଉଥିବା ଓ ନେବାକୁ ଅପେକ୍ଷା କରିଥିବା ଶିକ୍ଷକମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ଯୋଗାଇ ଦିଆଯାଉ।

ସରକାରୀ କର୍ମଚାରୀମାନଙ୍କର ଅବସର ବୟସସୀମା ୫୮ବର୍ଷ ଥିବାବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଅବସର ବୟସସୀମା ୬୦ ଥିଲା।  ବର୍ତ୍ତମାନ ସରକାର ସରକାରୀ କର୍ମଚାରୀଙ୍କ ବୟସସୀମାକୁ ୬୦କୁ ବୃଦ୍ଧି କରିଥିବା ବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ କର୍ମଚାରୀମାନଙ୍କର ବୟସସୀମା ୬୨କୁ ବୃଦ୍ଧି କରାଯାଇନାହିଁ। ତେଣୁ ଅବସର ବୟସସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ।

ଏତ୍‌ଦବ୍ୟତୀତ ସରକାର ସୁପ୍ରିମକୋର୍ଟ ଓ ହାଇକୋର୍ଟ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟ୍ ସ୍କେଲ ପ୍ରଦାନ କରନ୍ତୁ। ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରାଯାଉ। ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂରୀକରଣ କରାଯାଉ। ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରାଯାଉ।

ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରାଯାଉ। ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରାଯାଉ। ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ। ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀଗୁଡ଼ିକ ପ୍ରତି ଦୃଷ୍ଟି ନିକ୍ଷେପ କରି ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୁରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି  । ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାଜଲକ୍ଷ୍ମୀ ବେହେରା, ଗୋପୀବଲ୍ଲଭ ଭୁୟାଁ, ନିର୍ମଳ କୁମାର ଜେନା, ରମାକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ବେହେରା, ସୁନନ୍ଦ ରାଉତ, ଚିତ୍ତରଞ୍ଜନ ପଳତା, ଦୁର୍ଯ୍ୟୋଧନ ବେହେରା, ପ୍ରଭାତ କୁମାର ରଥ, କିଶୋର ଆଚାର୍ଯ୍ୟ, କେଶବ ନାୟକ  ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମ୍ପର୍କରେ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱାଦଶ ଦିନରେ ପହଞ୍ଚିଲା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଦ୍ୱାଦଶ ଦିବସରେ ପହଞ୍ଚିଛି। ଶିକ୍ଷକ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ୧୨ ଦିନ ଧରି ରାଜଧାନୀର ରାଜରାସ୍ତାରେ ପଡ଼ି ରହିଛନ୍ତି। ଏପର୍ଯ୍ୟନ୍ତ ସରକାର କିମ୍ବା ତାଙ୍କ ପ୍ରତିନିଧି ସେମାନଙ୍କ ସମସ୍ୟା ବାବଦରେ ପଦୁଟିଏ ପଚାରୁ ନାହାନ୍ତି।

ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହ କହିଛନ୍ତି ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ମୁଣ୍ଡରେ ସମସ୍ୟାର ବୋଝ ଲଦି ସେମାନଙ୍କୁ ଦାଣ୍ଡରେ ଯେମିତି ଠିଆ ହେବାକୁ ବାଧ୍ୟ କରିଛନ୍ତି ତାହା ଆଜି ବିଚାର୍ଯ୍ୟର ବିଷୟ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ବାରମ୍ବାର ରାଜରାସ୍ତାକୁ ଆସି ନୟାନ୍ତ ହେଲେଣି। ଓଡ଼ିଶାର ବୁଦ୍ଧିଜୀବୀ ଖବର କାଗଜମାନଙ୍କରେ ବାରମ୍ବାର ଲେଖି ଲେଖି ଅବସ ହେଲେଣି। ମାତ୍ର ଉଭୟ ଶାସକ ଓ ପ୍ରଶାସକମାନଙ୍କର ଚକ୍ରାନ୍ତର ଶେଷ ହେଉ ନାହିଁ।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ବାର ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। କିଛି ନୂଆ ଦାବି ନୁହେଁ ସେହି ପୁରୁଣା ସମସ୍ୟା ପାଇଁ ଏହି ଆନ୍ଦୋଳନ ଚାଲିଛି। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଖୋଲିଥିବା ବିଦ୍ୟାଳୟ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଟଙ୍କାଟିଏ ଅନୁଦାନ ନପାଇ ପଡ଼ି ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇ ଗଲେଣି ଓ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। ଏହା ଅତ୍ୟନ୍ତ ଦୁଃଖ ଦାୟକ ଯାହାକୁ ଆଖିରେ ନଦେଖିଲେ ଅନୁଭବ କରିହେବ ନାହିଁ। ସେହିପରି ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁ କଲେ। ସେଥିମଧ୍ୟରୁ ୨୨୬ ଓ ୩୯୯ ବିଦ୍ୟାଳୟ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିଲେ ମଧ୍ୟ ସପ୍ତମ ବେତନରୁ ବଞ୍ଚିତ ହୋଇ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରି ରଖାଯାଇଛି। ଦୀର୍ଘ ବର୍ଷର ଆନ୍ଦୋଳନ ପରେ ସରକାର ନୂତନ ଅନୁଦାନ ନିୟମ ପ୍ରଣୟନ କଲେ। କିନ୍ତୁ ସେହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କୁ ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କଲେ ନାହିଁ। ଫଳରେ ଏହି ବିଦ୍ୟାଳୟ ଗୁଡ଼ିକରୁ ଅବସର ନେଉଥିବା ଶିକ୍ଷକ କର୍ମଚାରୀଟିର ଅବଶିଷ୍ଟ ଜୀବନ ପରିଣତ ବୟସର ଦୂରାବସ୍ଥା ଅବର୍ଣ୍ଣନୀୟ।

ସେହିପରି ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଓ ବରିଷ୍ଠତା ପ୍ରଦାନ କରାଗଲା ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର ହୋଇପାରିଲା ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କରାଯାଉ ନାହିଁ।

ସେହିପରି ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଦିଆଯାଉ ନାହିଁ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ କରିବା ପାଇଁ ଦାବୀ ଦୀର୍ଘ ଦିନଧରି ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟାନ୍ୟ ଦାବୀ ମଧ୍ୟରେ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ, ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦିକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ତାହା ସରକାରଙ୍କ ଉଦାସୀନତା ପାଇଁ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଦୀର୍ଘଦିନ ଧରି ଏହିସବୁ ଦାବୀ ସରକାରଙ୍କ ନିକଟରେ ବାରମ୍ବାର ଉପସ୍ଥାପନ ହୋଇଛି ଏବଂ ସରକାର ଥରେ ଦୁଇଥର ନୁହେଁ ବହୁବାର ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପାଳନ ନକରିବା ଯୋଗୁଁ ଯେଉଁ ଅସନ୍ତୋଷର ବହ୍ନି ଜଳୁଛି ତା’ର ରୂପ ନେଇଛି ଆଜିର ଆନ୍ଦୋଳନ। ଓଷ୍ଟାର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ଇନ୍ଦୁମାଧବ ମହାନ୍ତି ଓ ପ୍ରାକ୍ତନ ଶିକ୍ଷାପ୍ରଦୀପ ସମ୍ପାଦକ ପ୍ରଫୁଲ ମହାନ୍ତି ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସଫଳ କରିବା ପାଇଁ ଉଦ୍‌ବୋଧନ ଦେଇଛନ୍ତି ଓ ସରକାର ତୁରନ୍ତ ଦାବିଗୁଡ଼ିକୁ ପୂରଣ କରନ୍ତୁ ବୋଲି କହିଛନ୍ତ। ଦାବି ପୂରଣ ନହେବା ଯାଏ ଅହୋରାତ୍ର ଧାରଣା ଚାଲିବ। ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବି ପ୍ରତି ଅଣଦେଖା କରନ୍ତି ସେଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସରକାର ନିଜେ ଦାୟୀ ରହିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଆନ୍ଦୋଳନକାରୀ ଶିକ୍ଷକ ଓ ଶିକ୍ଷାକର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଏକାଦଶ ଦିବସରେ ପହଞ୍ଚିଛି। ଏ ଆନ୍ଦୋଳନ କେବଳ ଶିକ୍ଷକର ବୃତ୍ତିଗତ ସମସ୍ୟା ପାଇଁ ନୁହେଁ, ଏହା ସାଢ଼େ ତିନିହଜାର ଶିକ୍ଷାନୁଷ୍ଠାନର ସୁରକ୍ଷା ସହିତ ଜଡ଼ିତ। ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠାରେ ଶିକ୍ଷକ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମରତ ଥିବାବେଳେ ସରକାର ସମସ୍ୟା ସମାଧାନ ଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରଦର୍ଶନ କରୁ ନାହାନ୍ତି। ଏକ ଗଣତାନ୍ତ୍ରିକ ଆନ୍ଦୋଳନକୁ ହାଲୁକା ଭାବେ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟବାସୀ ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ଏଗାର ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ କର୍ମଚାରୀମାନେ ଦାବୀ ହାସଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ସମୟରେ ଶିକ୍ଷକମାନେ ନିଜ ଜିଦ୍‌ରୁ ଓହରି ଯାଇଛନ୍ତି କିନ୍ତୁ ସରକାରଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଘଟିଥିବାର ପରିଲକ୍ଷିତ ହେଉ ନାହିଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଆଜି ବି ସରକାର ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନେକ ଥର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ଯଦି ସମସ୍ୟା ସମାଧାନର ସୂତ୍ର ବାହାରି ନପାରେ ତା’ଠାରୁ ଦୁର୍ଭାଗ୍ୟର ବିଷୟ କ’ଣ ହୋଇପାରେ ବୋଲି ଓଷ୍ଟା ତରଫରୁ ପ୍ରଶ୍ନ କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ସମଗ୍ର ଓଡ଼ିଶାରୁ ପ୍ରାୟ ୩୫୦୦ଟି ବିଦ୍ୟାଳୟ ମଧ୍ୟରୁ ୧୯୪+୪୦=୨୩୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଆଦୌ ଅନୁଦାନ ପ୍ରଦାନ କରାଯାଇ ନାହିଁ। ୩୦ ବର୍ଷ ଧରି ଖୋଲା ଯାଇଥିବା ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଅନୁଦାନରୁ ବଞ୍ଚିତ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ।

ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ ତା୩୧.୧୨.୨୦୨୧ରିଖ ରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତା୦୧.୦୧.୨୦୨୨ରିଖରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ କଲେ। ୨୬୦୮ ବିଦ୍ୟାଳୟକୁ ସପ୍ତମ ବେତନ କମିଶନ ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦୁଃଖର ବିଷୟ ଏଥିମଧ୍ୟରୁ ତା୦୧.୦୧.୨୦୨୨ରେ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିବା ୨୨୬ଟି ଓ ତା୦୧.୧୦.୨୦୨୩ରେ ୩୯୯ଟି ବିଦ୍ୟାଳୟ ମୋଟ୍ ୨୨୬+୩୯୯ = ୬୨୫ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକକାଳୀନ ୩୨୦୦ ବିଦ୍ୟାଳୟକୁ ସରକାରୀକରଣ କରିଥିଲେ ଓ ପରେ ୬୦୮ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିଥିଲେ। ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣରୁ ବଞ୍ଚିତ କରି ରଖାଯାଇଛି। ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ୩୦ ବର୍ଷରୁ ଅଧିକ ସମୟ ଚାକିରି କରି ଶିକ୍ଷକ କିମ୍ବା ଶିକ୍ଷାକର୍ମଚାରୀଟିଏ ଅବସର ନେଲା ପରେ ସେମାନଙ୍କୁ ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦିଆଯାଉ ନାହିଁ କି ବରିଷ୍ଠତା ପ୍ରଦାନ କରାଯାଉ ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର କରାଯାଉ ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ମାନ୍ୟତା ପ୍ରଦାନ କରାଯାଉ ନାହିଁ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ଆଇନ ସଙ୍ଗତ ହେଲେ ମଧ୍ୟ ତାହା କରାଯାଉ ନାହିଁ। ଆର୍‌.ଏ. ସ୍କିମ୍‌କୁ ପ୍ରଚଳନ କରି ପୁଣି ଦୁଇବର୍ଷ ପରେ ପ୍ରତ୍ୟାହାର କରିନେବା ଅତ୍ୟନ୍ତ ବେଦନାଦାୟକ। ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ ନାହିଁ। ଅନ୍ୟାନ୍ୟ ରାଜ୍ୟରେ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଆମ ରାଜ୍ୟରେ ତାହା ଘଟୁ ନାହିଁ। ଏହିସବୁ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଆଜକୁ ଏଗାର ଦିନ ହେଲା ଶିକ୍ଷକ କର୍ମଚାରୀମାନେ ରାସ୍ତାରେ ଶୋଇଛନ୍ତି। ଅଥଚ ଯେଉଁମାନେ ଦାବୀ ପୂରଣର ପ୍ରତିଶ୍ରୁତି ଦେଇଥିଲେ ସେମାନେ ଏ ବାବଦରେ ପାଟି ଖୋଲୁ ନାହାନ୍ତି । ସରକାର ଆଲୋଚନା ମାଧ୍ୟମରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । କାଳକ୍ଷେପଣ ନୀତି ପରିତ୍ୟାଗ କରି ସମାଧାନର ରାସ୍ତାକୁ ଆସନ୍ତୁ । ଶିକ୍ଷକ କର୍ମଚାରୀମାନଙ୍କ ଧୈର୍ଯ୍ୟକୁ ଆଉ ପରୀକ୍ଷା ନକରି ଅଧିକାର ଫେରାଇ ଦିଅନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକ ସମାବେଶ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆହ୍ୱାନରେ ଏକ ବିଶାଳ ସମାବେଶ ଆଜି ଭୁବନେଶ୍ୱର ଲୋୟର ପି.ଏମ୍‌.ଜି. ସ୍ଥିତ ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସମସ୍ୟା ନେଇ ସମଗ୍ର ଓଡ଼ିଶାରୁ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟମାନେ ଆଜି ରାଜଧାନୀରେ ଏକତ୍ରିତ ହୋଇଛନ୍ତି। କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ, ଆଉ ସରକାରଙ୍କ ପ୍ରତି ଥିବା ଅସନ୍ତୋଷ ଆଜି ସମାବେଶରେ ପ୍ରତିଫଳିତ ହୋଇଛି।

ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ଆଦି ଅନେକ ବିଷୟକୁ ନେଇ ଏହି ବୃହତ୍ ଗଣ ଆନ୍ଦୋଳନ ସଂଗଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ହକ୍ ନ ମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ବୈମାତୃକ ମନୋଭାବ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।

ସୂଚନାଥାଉକି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ମାଧ୍ୟମିକ ସ୍କୁୂଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ଆଜି ସମଗ୍ର ଓଡ଼ିଶାରୁ ୩୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଗାନ୍ଧୀମାର୍ଗରେ ସମବେତ ହୋଇଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ସରକାର ବାରମ୍ବାର ଠକି ଚାଲିଛନ୍ତି। ବାରମ୍ବାର ପ୍ରତିଶୃତି ଦେଇ ରକ୍ଷା କରିନାହାଁନ୍ତି। ଯେତେ ଅଭିଯୋଗ, ଆପତ୍ତି କଲେ ମଧ୍ୟ କେହି ଶୁଣୁନାହାଁନ୍ତି। ଆଲୋଚନା ବାରମ୍ବାର ବିଫଳ ହେଉଛି।

ଇଣ୍ଟର ମିନିଷ୍ଟେରିଆଲ୍ କମିଟିରେ ବିଭିନ୍ନ ସମସ୍ୟା ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ନ୍ୟାୟୋଚିତ ସମାଧାନ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ। ସେଥିପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଏ ମହାସମାବେଶ। ସରକାର ତାଙ୍କର ଉତ୍ତରଦାୟିତ୍ୱ ପାଳନ କରନ୍ତୁ। ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳଧରି ଖୋଲିଥିବା ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଅଦ୍ୟାବଧି ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ତେଣୁ ଅନୁଦାନରୁ ବାଦ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେଇ ସେମାନଙ୍କ ମୁହଁରେ ଆହାର ଦିଅନ୍ତୁ, ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ ତା୩୧.୧୨.୨୦୨୧ରିଖ ରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତା୦୧.୦୧.୨୦୨୨ରିଖ ରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ କଲେ।

ଦୁଃଖର ବିଷୟ ଏହିକି ତା୦୧.୦୧.୨୦୨୨ରେ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିବା ୨୨୬ଟି ଓ ତା୦୧.୧୦.୨୦୨୩ରେ ୩୯୯ଟି ବିଦ୍ୟାଳୟ ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଅଦ୍ୟାବଧି ସେମାନଙ୍କୁ ସପ୍ତମ ବେତନ ମିଳିଲା ନାହିଁ। ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ନିଜ ଜୀବନକୁ ବାଜି ଲଗାଇ ଶିକ୍ଷାଦାନ କରିବା ପରେ ରିକ୍ତ ହସ୍ତରେ ଅବସର ନେଉଥିବା ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଓ ଚାକିରି ସର୍ତ୍ତାବଳୀ ଆଜି ପର୍ଯ୍ୟନ୍ତ ଲାଗୁ ହୋଇ ନାହିଁ। ପ୍ରାୟ ଚାରି ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି। ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ସରକାର ତୁରନ୍ତ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ନଚେତ୍ ଏହି ୫-ଟି ବିଦ୍ୟାଳୟ ଗୁଡ଼ିକ ଆଉ କିଛି ଦିନ ପରେ ଶିକ୍ଷକ ଶୂନ୍ୟ ହୋଇଯିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଅନୁଦାନ ଯୋଗ୍ୟ ୬୧୦ ବିଦ୍ୟାଳୟଗୁଡ଼ିକୁ ତା୦୧.୦୬.୧୯୯୪ ଠାରୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିଥିଲେ। ଦୀର୍ଘ ୩୦ ବର୍ଷ ପରେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସରକାରୀକରଣ ହୋଇ ପାରିଲା ନାହିଁ। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନିକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରାଗଲା ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରିଲା ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କାର୍ଯ୍ୟକାରୀ ହୋଇ ନାହିଁ। ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କର ଟ୍ରେଣ୍ଟ ଗ୍ରାଜୁଏଟ୍ ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକାରୀ କରାଯାଉ ନାହିଁ। ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ମିଳିଲା ନାହିଁ। ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ ହୋଇ ନାହିଁ। ସରକାର ୨୦୧୯ରେ ଆର.ଏ. ସ୍କିମ୍ ଲାଗୁ କଲେ କିନ୍ତୁ ୨୦୨୦ ମସିହାରେ ଏହାକୁ ବନ୍ଦ କରିଦେଲେ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରାଗଲା ନାହିଁ। ଅଫିସ୍ ସହାୟକ ମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଗଲା ନାହିଁ। କେତେକ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ହୋଇଥିଲା ବେଳେ ତାହା ଆମ ରାଜ୍ୟରେ ଲାଗୁ ହୋଇ ନାହିଁ। ପାଞ୍ଚଟି ରାଜ୍ୟରେ ନୂତନ ପେନ୍‌ସେନ୍ ବ୍ୟବସ୍ଥା ବ୍ୟତିରେକ ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳିତ ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି ଆମ ରାଜ୍ୟରେ ଲାଗୁ ହୋଇ ନାହିଁ। ଏହି ସବୁ ଦାବି ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ସମସ୍ୟା ସମାଧାନ ନକଲେ ସଂଗଠନ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ବାଧ୍ୟ ହେବ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି  ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଗାନ୍ଧିମାର୍ଗରେ ପେନସନ୍ ଓ ଅନୁଦାନ ପ୍ରଦାନ ଦାବି ନେଇ ବିଶାଳ ଶିକ୍ଷକ ସମାବେଶ: ଓଷ୍ଟା

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପାରିଚାଳନା କମିଟି ଆଗାମୀ ୨୫ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। କଂଗ୍ରେସ ଭବନ ନିକଟରୁ ଦିନ ୧୨.୩୦ ରେ ଲୋୟର ପି.ଏମ୍‌.ଜି ଅଭିମୁଖେ ଏକ ବିଶାଳ ପଟୁଆରରେ ଯାଇ ଲୋୟର ପିଏମ୍‌ଜି ଠାରେ ସମବେତ ହୋଇ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ପ୍ରତିବାଦରେ ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ର ନିଷ୍ପତ୍ତି ନେଇଛନ୍ତି ଯେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନକୁ ଚାଲୁ ରଖିବେ।

ଆଗାମୀ ସେପ୍ଟେମ୍ବର ୨୫ ତାରିଖ ଠାରୁ ହଜାର ହଜାର ସଂଖ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ରାଜରାସ୍ତାରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବୀ ଦିବସରେ ତିନିଦିନ ଧରି ଓ ସେପ୍ଟମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ରାଜରାସ୍ତାରେ ଓଷ୍ଟାର ଆହ୍ୱାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଖରାବର୍ଷାକୁ ଭ୍ରୁକ୍ଷେପ ନକରି ଅହୋରାତ୍ର ଧାରଣାରେ ବସି ରହିଥିଲେ। ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ। ସେପ୍ଟେମ୍ବର ୫ ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଏହି ବୈଠକ ବସିଥିଲା।

ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ କହିଥିଲେଯେ, ଶିକ୍ଷକମାନଙ୍କର ସମସ୍ତ ଦାବୀଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ଏବଂ ବିଭିନ୍ନ ସଂଗଠନମାନଙ୍କର ନେତୃବୃନ୍ଦଙ୍କୁ ଡାକି ନିଜ ନିଜର ବିଭାଗର ସଚୀବ ଓ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ। ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧି ଆଲୋଚନା କରାଗଲା ନାହିଁ। ଦ୍ୱିତୀୟ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ୧୮ ତାରିଖ ଦିନ ବସାଇ ପ୍ରାଥମିକ ଶିକ୍ଷକମାନଙ୍କ ସହିତ ଏକ ଆଲୋଚନା କରିଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା ଅନ୍ୟ କୌଣସି ସଂଗଠନକୁ ଡକାଗଲା ନାହିଁ। ତେଣୁ ସରକାର ଆଜି ଦ୍ୱିତୀୟ ବାର ପ୍ରାଥମିକ ଶିକ୍ଷକମାନଙ୍କର ଆଲୋଚନା କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସରକାର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା ଓ ଆଲୋଚନାକୁ ନଡାକି ଶିକ୍ଷକମାନଙ୍କର ସମସ୍ୟାକୁ ସମାଧାନ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ। ନୂତନ ଅନୁଦାନପ୍ରାପ୍ତ ଓ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ପେନସନ୍ ନଦେଇ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛନ୍ତି। ରାଜ୍ୟରେ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଅଭିଭାବକ, ସାଧାରଣ ଜନତାଙ୍କ ମନରେ ସୃଷ୍ଟିହେବାକୁ ଯାଉଛି ଯେ, ଯେଉଁ ମୁଖ୍ୟମନ୍ତ୍ରୀ ଭାରତବର୍ଷରେ ଏକ ନମ୍ବର ହୋଇ ସମସ୍ତ ବର୍ଗର ଜନସାଧାରଣଙ୍କର କଥା ବୁଝୁଛନ୍ତି, ତାଙ୍କ ରାଜ୍ୟରେ ବିଭିନ୍ନ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ପ୍ରତିବାଦରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଓଷ୍ଟାର ଦାବିକୁ ସମର୍ଥନ ଜଣାଇ ଅଭିଭାବକ, ପୁରାତନଛାତ୍ର ଓ ପରିଚାଳନା କମିଟି ଆନ୍ଦୋଳନରେ ସାମିଲ ହେବେ। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଶିକ୍ଷକମାନେ ସମବେତ ହୋଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରଖିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।