କଟକ: ଆଉ ମାତ୍ର ତିନି ମାସ। ପୁଣି ଜମିବ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ଉତ୍ସବ ଆୟୋଜନ କରାଯିବ। ଦର୍ଶକଙ୍କ ଭିଡ଼କୁ ନଜରରେ ରଖି ପାର୍କିଂ, ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ବାଲିଯାତ୍ରାକୁ ଏଥର ଆହୁରି ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପାର୍କିଂ ସ୍ଥାନ ବ୍ୟବସ୍ଥା କରାଯିବ। ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ଟ୍ରାଫିକ୍ ପରିଚାଳନାର ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯାଉଛି।
ଏଥର ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ମହାନଦୀରେ ଜଳକ୍ରୀଡ଼ା। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଜଳକ୍ରୀଡ଼ାର ସୁବିଧା ଉପଲବ୍ଧ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଫଳରେ ମେଳା ବୁଲିବା ସହ ମହାନଦୀରେ ଜଳକ୍ରୀଡ଼ାର ମଜା ନେଇପାରିବେ ଦର୍ଶକ।
କେବଳ ଓଡ଼ିଶାର କଳାକାର ନୁହେଁ, ରାଜ୍ୟ ବାହାରୁ ମଧ୍ୟ ବହୁ କଳାକାର ବାଲିଯାତ୍ରା ମଞ୍ଚରେ ଯୋଗଦେବେ। ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ବାଲିଯାତ୍ରାରେ ଅଧିକ ଭିଡ଼ ହେବାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରାଯିବ। ଭିଡ଼ ପରିଚାଳନା, ପାର୍କିଂ ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି।
ଐତିହାସିକ ବାଣିଜ୍ୟିକ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତି ବହନ କରୁଥିବା ବାଲିଯାତ୍ରାକୁ ଏଥର ନୂଆ ରୂପରେ ସଜାଇବା ପାଇଁ କଟକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର ହୋଇଛି। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ନେଇ ଏବେଠାରୁ କଟକବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।


