ଭୁବନେଶ୍ୱର: ଓଡ଼ିଶା କୁକୁଡା ମାଂସ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇଥିବାବେଳେ କୁକୁଡା ଚାଷରେ ପୁଞ୍ଜି ଖଟାଇଥିବା କମ୍ପାନୀମାନେ ଏବେ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢାଇବାରେ ଲାଗିଛନ୍ତି। ଏହାଦ୍ୱାରା ରାଜ୍ୟର କୁକୁଡ଼ା ବ୍ୟବସାୟୀମାନେ ଓ ଖାଉଟିମାନେ ଶୋଷଣର ଶିକାର ହେଉଥିବାବେଳେ ବିଭାଗ ଏକ ପ୍ରକାର ନିରବଦ୍ରଷ୍ଟା ସାଜିଛି।
ଶ୍ରାବଣ ମାସ ସରିବାପରେ ରାଜ୍ୟରେ ହଠାତ୍ କୁକୁଡାର ଦର ବଢିବାରେ ଲାଗିଛି। ବଜାରରେ ଏବେ କୁକୁଡା ମାଂସର ଦର ଗୋଟିଏ ଦିନରେ ୧୫ ରୁ ୨୦ ଟଙ୍କା ବଢି କିଲୋପ୍ରତି ୨୫୦ ଟଙ୍କାକୁ ଟପିଯାଇଛି। ତେବେ ଜଣାଯାଇଛି ଯେ ଏଭଳି ଦରବୃଦ୍ଧି ପଛରେ ରାଜ୍ୟ ବାହାରରର ବଡ ବଡ କୁକୁଡା କମ୍ପାନୀଙ୍କର ହାତ ରହିଛି। ଯେହେତୁ ଏମାନେ ଓଡ଼ିଶାରେ କୁକୁଡା ଚାଷରେ ପୁଞ୍ଜି ଖଟାଇଛନ୍ତି ତେଣୁ ମନଇଚ୍ଛା ଦର ବଢାଇବାରେ ଲାଗିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି କମ୍ପାନୀମାନଙ୍କ ଉପରେ କିମ୍ବା କୁକୁଡ଼ା ଦର ନିୟନ୍ତ୍ରଣ ଉପରେ ରାଜ୍ୟ ସରକାରଙ୍କର କିଛି କର୍ତ୍ତୃତ୍ୱ ନାହିଁ।
ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ କୁକୁଡ଼ା ଚାଷ ପାଇଁ ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ ମଧ୍ୟ ବଜାରରେ କେତେକ ଦରରେ କିଭଳି କୁକୁଡା ବିକ୍ରି ହେଉଛି ସେଥିପ୍ରତି ନଜର ଦେଉନାହିଁ। ଫଳରେ ଏହି କମ୍ପାନୀମାନେ ଓଡିଶାର କୁକୁଡା ଚାଷକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଛନ୍ତି। ଏହିସବୁ କମ୍ପାନୀ ଚାଷୀମାନଙ୍କୁ କୁକୁଡ଼ା ଚିଆଁ, ଦାନା, ଔଷଧ ଆଦି ଯୋଗାଇ ଦେବା ସହିତ କୁକୁଡ଼ାଗୁଡ଼ିକ ବଡ଼ ହେଲେ ତାହାକୁ ନେଇଥାନ୍ତି। ଚାଷୀମାନେ କିଲୋ ପିଛା ୭ ରୁ ୮ଟଙ୍କା ପର୍ଯ୍ୟନ୍ତ ପାଇଥାନ୍ତି। ହେଲେ ବର୍ଦ୍ଧିତ ବିଜୁଳି ଦର ଓ ମଜୁରୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ହିସାବକୁ ନେଲେ ଚାଷୀର ଲାଭ ଅତି ନଗଣ୍ୟ। ଏହିସବୁ କମ୍ପାନୀଗୁଡିକ ଏବେ ରାଜ୍ୟର କୁକୁଡା ବଜାରକୁ ନିୟନ୍ତ୍ରଣ କରୁଛନ୍ତି।
ବର୍ତ୍ତମାନ ଓଡିଶାରେ ପ୍ରାୟ ୪୦ ହଜାର କୁକୁଡା ଚାଷୀ ଥିବାବେଳେ କୁକୁଡା ମାଂସ ଉତ୍ପାଦନରେ ରାଜ୍ୟ ବଳକା ହୋଇପାରିଛି। ଓଡିଶାରୁ ଉତ୍ପାଦିତ କୁକୁଡାର ୩୦ ର ୪୦% ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଦି ରାଜ୍ୟକୁ ଦୈନିକ ରପ୍ତାନି ହୋଇଥାଏ। ଏଥିରେ କୁକୁଡା ଚାଷୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଲୋକେ କର୍ମସଂସ୍ଥାନ ପାଇଥାନ୍ତି। ଶ୍ରାବଣ ସରିବାପରେ କେତେକ କମ୍ପାନୀ ସେମାନଙ୍କର ମନମୁଖୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୋଟିଏ ଦୁଇଟି କମ୍ପାନୀ ମନଇଚ୍ଛା ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ ଦିନରେ ଗୋଟିଏ କମ୍ପାନୀ କିଲୋପିଛା ୨୦ ରୁ ୨୧ ଟଙ୍କା ବୃଦ୍ଧି କରିଛି। ଫଳରେ ବଜାରରେ ଏବେ କୁକୁଡା ମାଂସ କିଲୋପିଛା ଦର ୨୬୦ ଟଙ୍କା ଅତିକ୍ରମ କରିଛି।
ବଡ କଥା ହେଲା କୁକୁଡା ଚାଷ ପାଇଁ ସମସ୍ତ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ରାଜ୍ୟ ସରକାରଙ୍କର ଏହି କମ୍ପାନୀଗୁଡିକ ଉପରେ କିଛି ନିୟନ୍ତ୍ରଣ ନାହିଁ। ବଜାରରେ କୁକୁଡାର ଦର କେତେ ରହିବ ତାହା ଏହି କମ୍ପାନୀମାନେ ସ୍ଥିର କରୁଛନ୍ତି। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ କେବଳ ରାଜ୍ୟର ଖାଉଟିମାନେ ଶୋଷଣର ଶିକାର ହେବେନାହିଁ ସରକାର ବି ବଦନାମ ହେବେ ବୋଲି କୁକୁଡ଼ାଚାଷୀମାନେ ମତ ଦେଉଛନ୍ତି।


