କାଠମାଣ୍ଡୁ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧,୦୦୦ ଅତିକ୍ରମ କରିଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ଏହି ମହାବିପତ୍ତି ପରେ ନେପାଳ ସରକାର ବିଶ୍ୱର ପ୍ରମୁଖ ପ୍ରଦୂଷଣକାରୀ ଦେଶ ଭାରତ, ଚୀନ୍ ଏବଂ ଆମେରିକା ନିକଟରୁ ଜଳବାୟୁ କ୍ଷତିପୂରଣ ଦାବି କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ମିଳୁଥିବା ସହାୟତାକୁ ଦାନ କିମ୍ବା ଦୟା ଭାବେ ନଦେଖି ବିଶ୍ୱ ସମୁଦାୟର “ନୈତିକ ଦାୟିତ୍ୱ” ଭାବେ ବିଚାର କରାଯିବା ଉଚିତ୍ ବୋଲି ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ ସ୍ପଷ୍ଟ ପ୍ରକାଶ କରିଛନ୍ତି।
ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ କହିଛନ୍ତି ଯେ, ନିର୍ଗତ ହେଉଥିବା ମୋଟ ଗ୍ରୀନ୍ହାଉସ୍ ଗ୍ୟାସ୍ରେ ନେପାଳର ଯୋଗଦାନ ନଗଣ୍ୟ। ତଥାପି ବିଶ୍ୱ ଉତ୍ତାପ ବୃଦ୍ଧି ବା ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ନେପାଳକୁ ସବୁଠାରୁ ଅଧିକ ଭୋଗିବାକୁ ପଡ଼ୁଛି। ନିଜେ ସୃଷ୍ଟି କରିନଥିବା ଏକ ବିଶ୍ୱସ୍ତରୀୟ ସଙ୍କଟ ପାଇଁ ନେପାଳ ଆଜି ସର୍ବୋଚ୍ଚ ମୂଲ୍ୟ ଦେଉଛି। ହିମାଳୟ ଅଞ୍ଚଳରେ ବରଫଚଟାଣ ଶୀଘ୍ର ତରଳିବା ଏବଂ ଏହିପରି ଭୟଙ୍କର ପାର୍ବତ୍ୟ ବନ୍ୟା ବିଶ୍ୱ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପରିଣାମ ଅଟେ। ନୁୱାକୋଟ ଜିଲ୍ଲାର ଭୋଟେକୋଶୀ ନଦୀରେ ବରଫ ହ୍ରଦ ବିସ୍ଫୋରଣ ଯୋଗୁଁ ଆସିଥିବା କାଦୁଅ ମିଶ୍ରିତ ତୀବ୍ର ଜଳପ୍ରବାହ ଦେବୀଘାଟ ଆଦି ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ କରିଦେଇଛି। ନେପାଳର ଏହି କ୍ଷତିପୂରଣ ଦାବି ବିଶ୍ୱ ଜଳବାୟୁ ଆଲୋଚନାରେ ଏକ ନୂତନ ମୋଡ଼ ଆଣିଦେଇଛି। ଉନ୍ନତ ଓ ଶିଳ୍ପସମୃଦ୍ଧ ରାଷ୍ଟ୍ରଗୁଡ଼ିକର ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁଁ ବିକାଶଶୀଳ ଓ ପାର୍ବତ୍ୟ ଦେଶଗୁଡ଼ିକ ଯେଉଁ ଅପୂରଣୀୟ କ୍ଷତି ସହିଛନ୍ତି, ତାହାର ଭରଣପୋଷଣ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଚିତ ସହାୟତା ଯୋଗାଇଦେବାକୁ ନେପାଳ ଜୋରଦାର ଆହ୍ୱାନ ଦେଇଛି।


