ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନାମରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଶୁକ୍ରବାର ଭୋର ସମୟରେ ଇସ୍ରୋ ନିଜର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଦେଶର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ ‘EOS-05’ର ସଫଳ ଉତ୍କ୍ଷେପଣ କରିଛି। GSLV-F17 ରକେଟ୍ ମାଧ୍ୟମରେ ୨,୩୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍କ୍ଷେପଣର ମାତ୍ର ୧୮ ମିନିଟ୍ ମଧ୍ୟରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍ରେ ସଠିକ୍ ଭାବେ ସ୍ଥାପିତ କରାଯାଇଛି। ୨୦୨୬ ବର୍ଷରେ ଇସ୍ରୋର ଏହା ପ୍ରଥମ ବଡ଼ ମହାକାଶ ଅଭିଯାନ ଓ ସଫଳତା ଅଟେ। ସାଧାରଣତଃ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହଗୁଡ଼ିକ ନିମ୍ନ ପୃଥିବୀ କକ୍ଷପଥ (LEO)ରେ କାର୍ଯ୍ୟ କରୁଥିବା ବେଳେ, EOS-05 ଭୂପୃଷ୍ଠରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚରେ ଥିବା ଜିଓସିଙ୍କ୍ରୋନସ୍ କକ୍ଷପଥରୁ ପୃଥିବୀର ଆବର୍ତ୍ତନ ଗତି ସହ ତାଳଦେଇ ନିରନ୍ତର ନଜର ରଖିବ। GSLV ରକେଟ୍ ଦ୍ୱାରା ବହନ କରାଯାଇଥିବା ସବୁଠାରୁ ଓଜନିଆ ଉପଗ୍ରହ ମଧ୍ୟରେ EOS-05 ଅନ୍ୟତମ। ଉତ୍କ୍ଷେପଣ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ପରିଦର୍ଶନ କରି ମିଶନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା:
ଏହି ଅପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “GSLV-F17 ଦ୍ୱାରା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ EOS-05ର ସଫଳ ଉତ୍କ୍ଷେପଣ ଭାରତୀୟ ମହାକାଶ କ୍ଷେତ୍ରର ଉତ୍କର୍ଷତା, ନବସୃଜନ ଏବଂ ବର୍ଦ୍ଧିତ କ୍ଷମତାର ଜ୍ୱଳନ୍ତ ପ୍ରତିଫଳନ।” ଏଥିସହିତ ଇସ୍ରୋ ଏବଂ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗିତା ଦେଶର ମହାକାଶ କ୍ଷେତ୍ରକୁ ନୂଆ ଶକ୍ତି ଓ ସାମର୍ଥ୍ୟ ଯୋଗାଉଛି ବୋଲି ସେ ପ୍ରକାଶ କରିଛନ୍ତି।


