ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୩ ଅଧ୍ୟକ୍ଷ ବାବୁ ସିଂଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ଗସ୍ତ କରିଛି। ସେପ୍ଟେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତର ଅଂଶ ଭାବେ ସେପ୍ଟେମ୍ବର ୩ ତାରିଖରେ କମିଟି ସଦସ୍ୟମାନେ ଉତ୍ତରପ୍ରଦେଶ ବିଧାନସଭା ପରିଦର୍ଶନ କରିଛନ୍ତି।
ଏହି ଅବସରରେ କମିଟି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ସତିଶ ମାହାନା, ବିଧାନସଭା ସଚିବ ପ୍ରଦୀପ କୁମାର ଦୁବେ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି। ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ ଓ କାର୍ଯ୍ୟପ୍ରଣାଳୀ, କମିଟିଗୁଡ଼ିକର କ୍ଷମତା ଏବଂ ଇ-ବିଧାନ ବ୍ୟବସ୍ଥାର ଉପଯୋଗ ନେଇ ତଥ୍ୟ ଆଦାନପ୍ରଦାନ ହୋଇଛି।
ଏଥିସହ ବଜେଟ୍ ଉପସ୍ଥାପନ ଓ ପାରିତ ପ୍ରକ୍ରିୟା, ବିଧାୟକମାନଙ୍କୁ ମିଳୁଥିବା ସୁବିଧାସୁଯୋଗ, ନିର୍ମାଣ ବିଭାଗ ଓ ଗୃହ-ନଗର ଉନ୍ନୟନ ସମ୍ପର୍କିତ ବ୍ୟବସ୍ଥା ଏବଂ ଡ୍ରେନେଜ୍ ସିଷ୍ଟମ୍ ନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
କମିଟି ସଦସ୍ୟମାନେ ବିଧାନସଭା ଗ୍ୟାଲେରୀ ପରିଦର୍ଶନ କରିବା ସହ ବିଧାନସଭା କାର୍ଯ୍ୟ ସମ୍ପର୍କିତ ସୂଚନା ବିଧାୟକ ଓ ସାଧାରଣ ଲୋକଙ୍କ ପାଇଁ କିପରି ଉପଲବ୍ଧ କରାଯାଉଛି, ସେ ସମ୍ପର୍କରେ ଜାଣିଥିଲେ। ବିଧାନସଭା କାର୍ଯ୍ୟର ୟୁଟ୍ୟୁବ୍ ପ୍ରସାରଣ ଓ ସିଧାପ୍ରସାରଣ ବ୍ୟବସ୍ଥା ମଧ୍ୟ ଅନୁଧ୍ୟାନ କରିଥିଲେ।
ଓଡ଼ିଶା ବିଧାନସଭାରେ ମଧ୍ୟ ଉତ୍ତରପ୍ରଦେଶ ଭଳି ଡିଜିଟାଲ୍ ବ୍ୟବସ୍ଥା ଓ ପ୍ରଶାସନିକ ସଂସ୍କାର କିପରି ଲାଗୁ କରାଯାଇପାରିବ, ସେନେଇ କମିଟି ପକ୍ଷରୁ ବିଚାରବିମର୍ଶ କରାଯାଇଛି। ଏହି ଗସ୍ତରେ କମିଟି ସଦସ୍ୟ ବ୍ୟମୋକେଶ ରାୟ, ସୁନିଲ କୁମାର ମହାନ୍ତି, ମାନସ କୁମାର ଦତ୍ତ ଓ ନୀଳମାଧବ ହିକ୍କାଙ୍କ ସମେତ ବିଧାନସଭାର ଅଧିକାରୀମାନେ ସାମିଲ ହୋଇଛନ୍ତି।


