ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୋଲାସିହିରିଆ ଗ୍ରାମରେ ରବିବାର ବଜ୍ରପାତ ଯୋଗୁଁ ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ସୁନୀଲ ମିଞ୍ଜଙ୍କ ପୁଅ ଅମିତ ମିଞ୍ଜ।
ସୂଚନା ଅନୁଯାୟୀ, ରବିବାର କୋଲାସିହିରିଆ ଗ୍ରାମ ନିକଟସ୍ଥ ଏକ ଖେଳ ପଡ଼ିଆରେ ଫୁଟ୍ବଲ୍ ମ୍ୟାଚ୍ ଚାଲିଥିଲା। ଅମିତ ମିଞ୍ଜ ଅନ୍ୟମାନଙ୍କ ସହ ସେଠାରେ ଫୁଟ୍ବଲ୍ ମ୍ୟାଚ୍ ଦେଖୁଥିଲେ। ଏହି ସମୟରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ଝଡ଼ତୋଫାନ ଆରମ୍ଭ ହୋଇଥିଲା।
ଝଡ଼ତୋଫାନ ମଧ୍ୟରେ ହଠାତ୍ ବଜ୍ରପାତ ହେବାରୁ ଅମିତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅମିତଙ୍କ ନିକଟରେ ଥିବା ଅନ୍ୟ ଦୁଇଜଣ ନାବାଳକ ମଧ୍ୟ ବଜ୍ରପାତରେ ଆହତ ହୋଇଥିଲେ।
ଆହତ ଦୁଇ ନାବାଳକଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣାକୁ ନେଇ ବୀରମିତ୍ରପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବଜ୍ରପାତରେ ନାବାଳକଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।


