ନୂଆଦିଲ୍ଲୀ: ଭାର ସାମଗ୍ରିକ ଯୁଦ୍ଧ କ୍ଷମତାକୁ ଆହୁରି ସୁଦୃଢ଼ ଓ ଆଧୁନିକୀକରଣ କରିବା ଦିଗରେ କେନ୍ଦ୍ର ସରକାର ଏକ ଐତିହାସିକ ଓ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଯୁଦ୍ଧ କୌଶଳ ଓ ସାମରିକ ଦକ୍ଷତା ବୃଦ୍ଧି ପାଇଁ ଆନୁମାନିକ ୧.୧୦ ଲକ୍ଷ କୋଟି ଟଙ୍କାର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ସରଞ୍ଜାମ ଅଧିଗ୍ରହଣ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହିସବୁ ଅଧିଗ୍ରହଣ ପ୍ରସ୍ତାବଗୁଡ଼ିକୁ ଆକ୍ସେପ୍ଟାନ୍ସ ଅଫ୍ ନେସେସିଟି ବା ନୀତିଗତ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଶେଷ କଥା ହେଉଛି, ଏହି ମୋଟ ମଞ୍ଜୁର ହୋଇଥିବା ଅର୍ଥର ପ୍ରାୟ ୯୮ ପ୍ରତିଶତ କ୍ରୟ ଦେଶୀୟ ଭାରତୀୟ ଉଦ୍ୟୋଗଗୁଡ଼ିକରୁ କରାଯିବ, ଯାହା ଦେଶର ଆତ୍ମନିର୍ଭର ଭାରତ ଅଭିଯାନକୁ ଅଧିକ ଶକ୍ତିଶାଳୀ କରିବ।
ଏହି ଆବଣ୍ଟିତ ଅର୍ଥରୁ ଭାରତୀୟ ସ୍ଥଳସେନା ପାଇଁ ଆବଶ୍ୟକୀୟ ଆଧୁନିକ ଯୁଦ୍ଧ ଯାନ ଓ ସରଞ୍ଜାମ କ୍ରୟ କରାଯିବ। ଏଥିମଧ୍ୟରେ ରସାୟନିକ, ଜୈବିକ, ବିକିରଣ ଓ ପରମାଣୁ ସଂକ୍ରାନ୍ତୀୟ ସଙ୍କଟ ସମୟରେ କାର୍ଯ୍ୟ କରୁଥିବା ବିଶେଷ ଗାଡ଼ି, ଅତ୍ୟାଧୁନିକ ହାଲୁକା ହେଲିକପ୍ଟର, ନିଜେ ଚାଲିପାରୁଥିବା ବିସ୍ଫୋରକ ବିଛାଇବା ଯନ୍ତ୍ର, ଦୁର୍ଗମ ପଥରେ ଚାଲିପାରୁଥିବା ଗାଡ଼ି, ଟ୍ରଲ୍ ଟ୍ୟାଙ୍କ ଏବଂ ନଦୀ ବା ଖାଲ ପାର ହେବା ପାଇଁ ବ୍ରିଜ୍ ସିଷ୍ଟମ୍ ଅନ୍ତର୍ଭୁକ୍ତ। ଏହି ପରମାଣୁ ସମ୍ବେଦନଶୀଳ ବିଶେଷ ଗାଡ଼ିଗୁଡ଼ିକ ବିପଜ୍ଜନକ ଜୈବିକ କିମ୍ବା ରାସାୟନିକ ପଦାର୍ଥ ଦ୍ୱାରା ଦୂଷିତ ଅଞ୍ଚଳଗୁଡ଼ିକୁ ତୁରନ୍ତ ଚିହ୍ନଟ ଓ ତଦାରଖ କରିବାରେ ସକ୍ଷମ ହେବ। ଅପରପକ୍ଷରେ, ଉଚ୍ଚ ଗମନାଗମନ କ୍ଷମତାସମ୍ପନ୍ନ ଗାଡ଼ିଗୁଡ଼ିକ ଅତ୍ୟନ୍ତ ଦୁର୍ଗମ ସୀମାନ୍ତ ଅଞ୍ଚଳରେ ଯୁଦ୍ଧ ସାମଗ୍ରୀ ପହଞ୍ଚାଇବା ଓ ସେନାର ପରିବହନ ଦକ୍ଷତାକୁ ବହୁଗୁଣିତ କରିବ। ସେହିପରି ହାଲୁକା ହେଲିକପ୍ଟରଗୁଡ଼ିକ ସ୍ଥଳସେନା ଓ ବାୟୁସେନା ପାଇଁ ସବୁପ୍ରକାର ପ୍ରତିକୂଳ ପରିସ୍ଥିତିରେ ଜଟିଳ ସାମରିକ ମିଶନ ପରିଚାଳନାରେ ସାହାଯ୍ୟ କରିବ।
ଅନ୍ୟପକ୍ଷରେ, ଭାରତୀୟ ନୌସେନା ଓ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନୌସେନା ପାଇଁ ‘ଅରୁଧ୍ରା’ ରାଡାର କ୍ରୟ ସହ ସମୁଦ୍ର ଯୁଦ୍ଧପୋତ ପାଇଁ ମେରାଇନ୍ ଗ୍ୟାସ୍ ଟରବାଇନ୍ର ନିଜସ୍ୱ ଡିଜାଇନ୍, ବିକାଶ ଓ କ୍ରୟକୁ ଅନୁମୋଦନ ଦିଆଯାଇଛି। ‘ଅରୁଧ୍ରା’ ରାଡାର ନୌସେନା ଏୟାର ଷ୍ଟେସନଗୁଡ଼ିକରେ ବର୍ତ୍ତମାନ ଥିବା ପୁରୁଣା ଆକାଶମାର୍ଗ ନିରୀକ୍ଷଣ ରାଡାରର ସ୍ଥାନ ନେବ। ଏହାସହ ନୂତନ ଗ୍ୟାସ୍ ଟରବାଇନ୍ ନିର୍ମାଣ ଦ୍ୱାରା ଯୁଦ୍ଧପୋତ ଚାଳନାରେ ବିଦେଶୀ ସଂସ୍ଥା ଉପରେ ନିର୍ଭରଶୀଳତା ଯଥେଷ୍ଟ ହ୍ରାସ ପାଇବ। ବାୟୁସେନା ପାଇଁ ଫାଇଟର, ପରିବହନ ବିମାନ ଓ ହେଲିକପ୍ଟରର ଯୁଦ୍ଧ କ୍ଷମତା ବୃଦ୍ଧି କରାଯିବ। ଏହା ସହିତ ଶତ୍ରୁର ସଙ୍କେତକୁ ବାଧାପ୍ରାପ୍ତ କରିବା ପାଇଁ ଭୂପୃଷ୍ଠ-ଭିତ୍ତିକ ବହୁମୁଖୀ ଜାମର କ୍ରୟ ଏବଂ ସଶସ୍ତ୍ର ବାହିନୀର ନିରାପତ୍ତା ପାଇଁ ସୁରକ୍ଷିତ ପ୍ରବେଶ ପତ୍ର ପ୍ରଣାଳୀ ସ୍ଥାପନକୁ ମଧ୍ୟ ଅନୁମୋଦନ ମିଳିଛି।


