Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
ଅନ୍ତରାଷ୍ଟ୍ରୀୟ

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ
ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ

ଦୁବାଇ/ଭୁବନେଶ୍ୱର: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।

ଦୁବାଇ ରୋଡ୍‌ସୋ’: ଓଡ଼ିଶାର ପରବର୍ତ୍ତୀ ବିକାଶ କାହାଣୀ

ଉଦ୍‌ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଏହାର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ରାଜ୍ୟରେ ସେମାନଙ୍କର ଉପସ୍ଥିତି ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବା ପାଇଁ ସୁଯୋଗ ଦିଗରେ ସିଧାସଳଖ ମଞ୍ଚ ଯୋଗାଇ ଦେଇଥିଲା।

ଆଜି ଦିନର ନିବେଶ ଆଲୋଚନାରେ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ପୁଞ୍ଜିନିବେଶ, ଏଲ୍‌ଏନ୍‌ଜି (LNG) ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟର, ରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ପାରମ୍ପରିକ ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ ପ୍ରୋସେସ୍ଡ ଫୁଡ୍ ସବୁଠାରୁ ବଡ଼ ସୁଯୋଗ ହେବ।

ଏଲ୍‌ଏନ୍‌ଜି ସଂରକ୍ଷଣ ପାଇଁ ‘କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଫ୍‌ଜେଡସିଓ’ (CAZBAA Project Ventures FZCO) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ‘ରାଣା ହୋଲ୍ଡିଂସ ଲିମିଟେଡ୍’ ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟର ଏବଂ ରେୟାର ଆର୍ଥସ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ‘ଶରାଫ ଗ୍ରୁପ୍’ ଆବାସିକ ଗୃହ କ୍ଷେତ୍ରରେ ଏବଂ ‘ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର୍’ ଷ୍ଟିଲ ଏବଂ ଷ୍ଟିଲ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ ଗୁଡ଼ିକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଜାହାଜ ମରାମତି ପାଇଁ ‘ଡାଲୱିନ୍ ମେରାଇନ୍’ ଏବଂ ‘ଟର୍ବୋ ପାୱାର୍ ଇଞ୍ଜିନିୟରିଂ’, ପ୍ରୋପେଲାଣ୍ଟ ଉତ୍ପାଦନ କାରଖାନା ପାଇଁ ‘ଆଇଅନ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍’, ଏବଂ ସାର ତଥା ରସାୟନ ପାଇଁ ‘ଆଗ୍ରିଫିଲ୍ଡ୍‌ସ ଏଫ୍‌ଜେଡସିଓ’ (Agrifields FZCO) ଠାରୁ ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି।

ରୋଡ୍‌ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ଓ୍ବାନ୍-ଟୁ-ଓ୍ବାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା।

ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁଠାରେ ୮୦୦ରୁ ଅଧିକ ଓଡ଼ିଆ ତାଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସମାବେଶରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା। ଦୁବାଇରେ ଓଡ଼ିଆ ସମ୍ପ୍ରଦାୟ ଦ୍ୱାରା ବଜାୟ ରଖାଯାଇଥିବା ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟକୁ ମଜବୁତ କରିବା ଏବଂ ଏହାର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବାରେ ପ୍ରବାସୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।

ତିନି ଦିନିଆ ଉଚ୍ଚସ୍ତରୀୟ ନିବେଶ କାର୍ଯ୍ୟକ୍ରମ

ୟୁଏଇ ଗସ୍ତ ଆବୁଧାବୀରୁ ସରକାରୀ, ସାର୍ବଭୌମ, ପ୍ରତିଷ୍ଠାନଗତ ଏବଂ ବ୍ୟବସାୟିକ ଅଂଶୀଦାରମାନଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା ସହିତ ଆରମ୍ଭ ହୋଇଥିଲା। ଏହାର ଏକ ପ୍ରମୁଖ ଆକର୍ଷଣ ଥିଲା ‘ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନୀ’ ଏବଂ ‘ଆଦାନୀ ଗ୍ରୁପ୍’କୁ ନେଇ ହୋଇଥିବା ରଣନୈତିକ ସହଭାଗିତା, ଯେଉଁଥିରେ କ୍ରିଟିକାଲ୍ ମିନେରାଲ ଓ ରେୟାର୍ ଆର୍ଥସ୍, ମେଟାଲ୍ସ ଓ ମେଟାଲର୍ଜି, କେମିକାଲ୍ସ ଓ ପେଟ୍ରୋ-କେମିକାଲ୍ସ, ନବୀକରଣୀୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ରଣନୈତିକ କ୍ଷେତ୍ରଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା।

ପ୍ରଥମ ଦିନରେ ‘ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍’ (IBPG) ସହିତ ଆଲୋଚନା, ନିବେଶ ଓ ଭିତ୍ତିଭୂମି ସୁଯୋଗ ଉପରେ ପ୍ରତିଷ୍ଠାନଗତ ଆଲୋଚନା ଏବଂ ଓଡ଼ିଶାରେ ଏକ ପେଟ୍ରୋ-କେମିକାଲ ଡାଉନ୍‌ଷ୍ଟ୍ରିମ୍ ଇକୋସିଷ୍ଟମର ସମ୍ଭାବ୍ୟ ବିକାଶ ନେଇ ‘ବୋରୁଜ୍’ ସହିତ ଆଲୋଚନା ହୋଇଥିଲା।

ଦ୍ୱିତୀୟ ଦିନରେ ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍., କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଏବଂ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ, ଲଜିଷ୍ଟିକ୍ସ, ଦକ୍ଷତା ବିକାଶ, ରେୟାର ଆର୍ଥସ୍, ସର୍କୁଲାର୍ ଇକୋନୋମି, କେମିକାଲ୍ସ ଏବଂ ଆଲୁମିନିୟମ କ୍ଷେତ୍ରକୁ ବ୍ୟାପକ କରାଯାଇଥିଲା। ବିଭିନ୍ନ କମ୍ପାନୀଗୁଡ଼ିକର ବୁଝାମଣାପତ୍ର ଏବଂ ନିବେଶ ପ୍ରସ୍ତାବଗୁଡ଼ିକ ସମ୍ଭାବ୍ୟ ପ୍ରକଳ୍ପ ଓ ଭାଗିଦାରୀର ପରିସରକୁ ଆହୁରି ବଢ଼ାଇଥିଲା।

ମୁଖ୍ୟମନ୍ତ୍ରୀ ମଧ୍ୟ ୟୁଏଇର ନେତୃତ୍ୱ ଏବଂ ଶିଳ୍ପ ପ୍ରତିନିଧୀଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ ଏବଂ ‘ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍’ ପରିଦର୍ଶନ କରିଥିଲେ, ଯାହା ଓଡ଼ିଶାର ଡାଉନଷ୍ଟ୍ରିମ ଶିଳ୍ପ ଇକୋସିଷ୍ଟମ ସହିତ ଜଡ଼ିତ ଉନ୍ନତ ଆଲୁମିନିୟମ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟବୃଦ୍ଧି ପଦ୍ଧତିଗୁଡ଼ିକୁ ଅନୁଧ୍ୟାନ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା।

ନିବେଶରୁ କାର୍ଯ୍ୟାନ୍ୱୟନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ମୂଲ୍ୟବୃଦ୍ଧି, ପ୍ରଯୁକ୍ତିବିଦ୍ୟା, ବିଶ୍ୱସ୍ତରୀୟ ସହଭାଗିତା ଏବଂ ଦକ୍ଷ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ଆଧାର କରି ଶିଳ୍ପ ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ଅଛି। ସେ ନିବେଶକମାନଙ୍କ ପାଇଁ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗୀ ଶକ୍ତି ଉପଲବ୍ଧତା, ରଣନୈତିକ ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ କାର୍ଯ୍ୟଶକ୍ତି ଏବଂ ଶିଳ୍ପ ଇକୋସିଷ୍ଟମକୁ ମୁଖ୍ୟ ସୁବିଧା ଭାବରେ ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଓଡ଼ିଶାର ୟୁଏଇ ସହଭାଗିତା ବ୍ୟକ୍ତିଗତ ନିବେଶଠାରୁ ଆଗକୁ ଯାଇ ଉତ୍ପାଦନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ରପ୍ତାନି, ଇନୋଭେସନ, ଦକ୍ଷତା ଏବଂ ଉଦ୍ୟମିତାରେ ଦୀର୍ଘସ୍ଥାୟୀ ଭାଗିଦାରୀ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେ ୟୁଏଇର ବ୍ୟବସାୟୀମାନଙ୍କୁ ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାକୁ ନିମନ୍ତ୍ରଣ କରିଥିଲେ।

ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ‘ଦ୍ରୁତ ଗତି, ନିଶ୍ଚିତତା ଏବଂ କାର୍ଯ୍ୟାନ୍ୱୟନ’ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ, ପ୍ରକଳ୍ପ ସାଇକଲର ସମସ୍ତ ସ୍ତରରେ—ଯଥା ନିବେଶ ପ୍ରସ୍ତାବ ଏବଂ ଅନୁମୋଦନଠାରୁ ଆରମ୍ଭ କରି କାର୍ଯ୍ୟକାରିତା ଏବଂ ସମ୍ପ୍ରସାରଣ ପର୍ଯ୍ୟନ୍ତ—ନିବେଶକମାନଙ୍କୁ ସକ୍ରିୟ ସହଯୋଗ ଏବଂ ପ୍ରତିଷ୍ଠାନଗତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ।

ଓଡ଼ିଶା-ୟୁଏଇର ଏକ ଦୃଢ଼ ବ୍ୟବସାୟିକ ଏବଂ ସାମାଜିକ ସଂଯୋଗ

ତିନିଦିନିଆ ଏହି ଅଭିଯାନରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ପ୍ରମୁଖ ବ୍ୟବସାୟୀମାନେ ଏକାଠି ହୋଇଥିଲେ, ଯାହା ଓଡ଼ିଶା ଏବଂ ୟୁଏଇର ବିଜନେସ କମ୍ୟୁନିଟି ମଧ୍ୟରେ ସିଧାସଳଖ ଓ ନିରନ୍ତର ସମ୍ପୃକ୍ତି ପାଇଁ ଏକ ମଞ୍ଚ ସୃଷ୍ଟି କରିଥିଲା।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ ତଥା ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ, ଦୁବାଇରେ ଭାରତର କନସୁଲ୍ ଜେନେରାଲ୍ ଡ. ଇ. ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇପିକଲର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ।

ଦୁବାଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ସମାବେଶ ୟୁଏଇରେ ବାସକରୁଥିବା ଓଡ଼ିଆମାନଙ୍କ ସହିତ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଦୃଢ଼ କରିଥିଲା ଏବଂ ଓଡ଼ିଶାର ନିବେଶ, ଉଦ୍ୟମିତା, ବାଣିଜ୍ୟ ଏବଂ ବିକାଶ ଯାତ୍ରାରେ ଅବଦାନ ରଖିବାକୁ ପ୍ରବାସୀମାନଙ୍କୁ ପ୍ରୋତ୍ସାହିତ କରିଥିଲା।

ଓଡ଼ିଶାର ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ODOP) ସାମଗ୍ରୀଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା, ଯାହା ପ୍ରବାସୀ ସମ୍ପୃକ୍ତିରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଏବଂ ଉଦ୍ୟୋଗିକ ଦିଗ ଯୋଡ଼ିଥିଲା। ଅଂଶଗ୍ରହଣକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଉତ୍ପାଦ ଏବଂ ଏହାର ଜିଲ୍ଲାଗୁଡ଼ିକରେ ଦେଖା ଦେଇଥିବା ଉଦ୍ୟମିତା ସମ୍ଭାବନାକୁ ଅନୁଭବ କରିଥିଲେ।

ତିନିଦିନିଆ ୟୁଏଇ ଅଭିଯାନ: ଏକ ନଜରରେ
ମୋଟ ଓ୍ବାନ୍-ଅନ-ଓ୍ବାନ୍ ବୈଠକ: ୪୬
ମୋଟ ରାଉଣ୍ଡ ଟେବୁଲ ବୈଠକ: ୬
ମୋଟ୍ ରାଉଣ୍ଡ ଟେବୁଲ ଅଂଶଗ୍ରହଣକାରୀ: ୧୬୦
ମୋଟ ସ୍ୱାକ୍ଷରିତ ବୁଝାମଣାପତ୍ର : ୮
ମୋଟ ପୁଞ୍ଜିନିବେଶ ପ୍ରସ୍ତାବ : ୧୬
ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ: ₹ ୨,୪୩,୧୬୨
କୋଟି ମୋଟ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫

ପ୍ରାଥମିକ କ୍ଷେତ୍ରଗୁଡ଼ିକ: କ୍ରିଟିକାଲ୍ ମିନେରାଲ୍ସ ଏବଂ ରେୟାର ଆର୍ଥସ, ମେଟାଲ ଓ ମାଇନିଂ, ଆଲୁମିନିୟମ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ; କେମିକାଲ୍ସ ଏବଂ ପେଟ୍ରୋ- କେମିକାଲ୍ସ; ଗ୍ରୀନ ଏନର୍ଜି; ଏଲ୍‌ଏନ୍‌ଜି (LNG); ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍. (ESDM); ଏଆଇ ଏବଂ ଡାଟା ସେଣ୍ଟର; ଖାଦ୍ୟ ପ୍ରକ୍ରିୟାକରଣ; ଲଜିଷ୍ଟିକ୍ସ; ଭିତ୍ତିଭୂମି; ସ୍ୱାସ୍ଥ୍ୟସେବା; ପର୍ଯ୍ୟଟନ; ରିଅଲ୍ ଇଷ୍ଟେଟ୍; ସର୍କୁଲାର୍ ଇକୋନୋମି; ଜାହାଜ ମରାମତି; ସାର; ପ୍ରୋପେଲାଣ୍ଟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଏମର୍ଜିଂ କ୍ଷେତ୍ର ୟୁଏଇ ଅଭିଯାନର ଏହି ସଫଳ ଉଦ୍‌ଯାପନ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ରଣନୀତିକୁ ଅଧିକ ଗତିଶୀଳ କରିବା ସହିତ ୟୁଏଇ ସହିତ ଏହାର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିଛି। ପାରମ୍ପରିକ ଶକ୍ତି ଏବଂ ନୂତନ ଯୁଗର କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗର ଏକ ବ୍ୟାପକ ସମ୍ଭାବନା ସହିତ, ରାଜ୍ୟ ନିଜକୁ ବିଶ୍ୱସ୍ତରୀୟ ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟ ପାଇଁ ଏକ ପ୍ରତିଯୋଗୀ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି।

ଓଡ଼ିଶା ସରକାର ବର୍ତ୍ତମାନ ନିବେଶ ଆଗ୍ରହ ଏବଂ ପ୍ରସ୍ତାବିତ ଭାଗିଦାରୀକୁ ତୃଣମୂଳସ୍ତରରେ ପ୍ରକଳ୍ପରେ ପରିଣତ କରିବା ଦିଗରେ ଧ୍ୟାନ ଦେବେ, ଯେଉଁଥିପାଇଁ କାର୍ଯ୍ୟାନ୍ୱୟନର ଗତି, ମୂଲ୍ୟ ସୃଷ୍ଟି, ନିଯୁକ୍ତି ସୃଷ୍ଟି ଏବଂ ସୁଦୃଢ଼ ଘରୋଇ ତଥା ବିଶ୍ୱସ୍ତରୀୟ ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ—ଯାହା ଏକ ସମୃଦ୍ଧ, ଶିଳ୍ପଗତ ଭାବେ ଶକ୍ତିଶାଳୀ ଏବଂ ବିଶ୍ୱ ସହିତ ସଂଯୁକ୍ତ ଓଡ଼ିଶାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ।

ନିବେଶ ଅଭିଯାନ ପୁଞ୍ଜିନିବେଶ ମୋହନ ଚରଣ ମାଝୀ ୟୁଏଇ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.