ଭୁବନେଶ୍ୱର: ୟୁଏଇ ଗସ୍ତ ଶେଷ କରି ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟର ଶିଳ୍ପ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିଛି। ‘ୟୁଏଇ-ଓଡ଼ିଶା ନିବେଶକ ସମ୍ମିଳନୀ’ ମାଧ୍ୟମରେ ରାଜ୍ୟକୁ ବିପୁଳ ପୁଞ୍ଜିନିବେଶର ସୁଯୋଗ ଆସିଛି। ରାଜ୍ୟ ପାଇଁ ୨.୪୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବିତ ନିବେଶ ଆସିଛି। ନିଯୁକ୍ତି ସୁଯୋଗ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ହେବ। ଗସ୍ତ ସମୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୧୬ଟି ବଡ଼ ବିଦେଶୀ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସବୁଜ ଶକ୍ତି, ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଇସ୍ପାତ ଏବଂ ବନ୍ଦର ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଏହି ନିବେଶ ହେବ। ବିଦେଶୀ ନିବେଶକଙ୍କ ଆସ୍ଥା ଜିତିବାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଫଳ ହୋଇଥିବା କୁହାଯାଉଛି।


