ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ସହର ମୋହନ କଲୋନୀର ବାସୁଦେବ ମୁନି ନାମକ ଜଣେ ବିଟେକ୍ ଛାତ୍ର ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟ ୮ ଜଣ ସାଙ୍ଗ ଗୁରୁତର ଅବସ୍ଥାରେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ସମସ୍ତ ଛାତ୍ର ନିଜ ସାହିରେ ସିଦ୍ଧ ବିନାୟକ ପୁଜା ନିମନ୍ତେ ଏକ ଅଟୋ ଯୋଗେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡି ଘର ଗ୍ରାମକୁ ଯାଉଥିବା ବେଳେ ହିଞ୍ଜିଳିର ଅନତୀ ଦୁର ଜାମୁନି ବୁରୁତୁଳୁ ନିକଟରେ ଭାରସାମ୍ୟ ହରାଇ ଅଟୋ ରିକ୍ସା ଓଲଟି ପଡିଥିଲା।
ସେଥିରେ ବସିଥିବା ସମସ୍ତ ଯାତ୍ରୀ ତଳେ କଚାଡି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତେ ନିଜ ନିଜର ଅନ୍ୟ ସାଙ୍ଗ ସହଯୋଗରେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡ଼ାକ୍ତର ବାସୁଦେବଙ୍କୁ ମୃତ ଘୋଷଣା କରିଥିଲେ। ଏହି ଭଳି ଖବର ପାଇ ହିଞ୍ଜିଳି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


