ବର୍ଲିନ୍: ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ, ଶିକ୍ଷା ବଜେଟରେ କାଟ୍ ଏବଂ ସାମରିକ ଶକ୍ତି ବୃଦ୍ଧି ନିମନ୍ତେ ସରକାରୀ ଯୋଜନାକୁ ବିରୋଧ କରି ସମଗ୍ର ଜର୍ମାନୀରେ ଯୁବପିଢ଼ି ରାଜପଥକୁ ଓହ୍ଲାଇଛନ୍ତି। ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଗର୍ଜନରେ ସାରା ଦେଶର ବାତାବରଣ ଅଶାନ୍ତ ହୋଇପଡ଼ିଛି। ଗୋଟିଏ ପଟେ ହାଲୋୱିନ୍ ଉତ୍ସବର ମାହୋଲ ଥିବା ବେଳେ ଅନ୍ୟପଟେ ହଜାର ହଜାର ଯୁବକଯୁବତୀ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇବାରୁ ବିଭିନ୍ନ ସହରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ସନ୍ଧ୍ୟା ହେବା ମାତ୍ରକେ କେତେକ ସ୍ଥାନରେ ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ଉତ୍ତ୍ୟକ୍ତ ଲୋକମାନେ ଦୋକାନବଜାର ଲୁଟପାଟ କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି।
’ଜେନଜେଡ୍ ରେଗେଲ୍ଟ’ ନାମକ ଏକ ଯୁବ ସଂଗଠନର ଆହ୍ୱାନରେ ବର୍ଲିନ୍, ଫ୍ରାଙ୍କଫର୍ଟ ଏବଂ ମ୍ୟୁନିକ୍ ସମେତ ମୋଟ ୩୪ଟି ସହରରେ ଏହି ବିଶାଳ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା। ଫ୍ରାନ୍ସ ଏବଂ ଇଟାଲୀ ପରି ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ଯୁବପିଢ଼ିଙ୍କ ଦ୍ୱାରା ହୋଇଥିବା ସଫଳ ଆନ୍ଦୋଳନରୁ ପ୍ରେରଣା ପାଇ ଜର୍ମାନୀର ଯୁବବର୍ଗ ନିଜର ଦାବି ପୂରଣ ପାଇଁ ଏହିପରି ପଦକ୍ଷେପ ଗ୍ରହଣ କରିଥିଲେ। ଦିନସାରା ବିକ୍ଷୋଭ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିଥିଲେ ସୁଦ୍ଧା ସନ୍ଧ୍ୟା ସମୟରେ ଫ୍ରାଙ୍କଫର୍ଟ, ବର୍ଲିନ୍, କୋଲୋନ୍ ଏବଂ ହାମ୍ବର୍ଗ ପରି ମୁଖ୍ୟ ସହରଗୁଡ଼ିକରେ କେତେକ ଗୋଷ୍ଠୀ ସେଠାରୁ ହଟିବାକୁ ମନା କରିଦେବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ଫ୍ରାଙ୍କଫର୍ଟ ସହରରେ ମୁହଁ ଢାଙ୍କିଥିବା ବହୁ ଦୁର୍ବୃତ୍ତ ଦୋକାନଗୁଡ଼ିକରେ ଭଙ୍ଗାରୁଜା କରିବା ସହ ବ୍ୟାପକ ଲୁଟପାଟ କରିଥିଲେ। ଏପରିକି ଏକ ଅସ୍ତ୍ରଶସ୍ତ୍ର ଦୋକାନର କାଚ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରାଯାଇଥିବା ବେଳେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ଦୁଇଟି ମାରଣାସ୍ତ୍ର ଜବତ କରିଛି। ଏହାଛଡ଼ା ଜୋତା ଏବଂ ସୁଗନ୍ଧିତ ଦ୍ରବ୍ୟ ଦୋକାନରୁ ମଧ୍ୟ ଜିନିଷପତ୍ର ଲୁଟ୍ ହୋଇଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ନିରାପତ୍ତା କର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରକୁ ପଥର, ବାଣ ଏବଂ ପେଟ୍ରୋଲ ବୋମା ମାଡ଼ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଜଳକମାଣ ଏବଂ ମରିଚ ଗୁଣ୍ଡ ସ୍ପ୍ରେ ବ୍ୟବହାର କରିବାକୁ ପଡ଼ିଥିଲା।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଫ୍ରାଙ୍କଫର୍ଟର ମୁଖ୍ୟ ବାଣିଜ୍ୟିକ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଥିଲା। ଗାଡ଼ି ଏବଂ ଦଙ୍ଗା ନିରୋଧୀ ପୋଲିସ ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରଖିଥିବା ବେଳେ ଆକାଶମାର୍ଗରୁ ଫୋର୍ସ ହେଲିକାପ୍ଟର ଜରିଆରେ ନଜର ରଖାଯାଇଥିଲା। ଏହି ହିଂସାକାଣ୍ଡରେ ଫ୍ରାଙ୍କଫର୍ଟ ସମେତ ଅନ୍ୟ ସହରଗୁଡ଼ିକରେ ଏକାଧିକ ପୋଲିସ ଅଧିକାରୀ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ପରିସ୍ଥିତି ପାଇଁ ସରକାର ଅତି-ବାମପନ୍ଥୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ଦାୟୀ କରିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଚିହ୍ନଟ ବାମପନ୍ଥୀ ଉଗ୍ରବାଦୀ ଏହି ବିକ୍ଷୋଭରେ ସାମିଲ ହୋଇ ହିଂସା ଭିଆଇଥିଲେ, ଯାହା ଅତ୍ୟନ୍ତ ନିନ୍ଦନୀୟ।
ସେହିପରି ହାମ୍ବର୍ଗ ଏବଂ କୋଲୋନ୍ ସହରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋତଲ ଓ ବାଣ ମାଡ଼ କରାଯିବାରୁ ପୋଲିସ ଜଳକମାଣର ପ୍ରୟୋଗ କରିଥିଲା। ବର୍ଲିନରେ ଅନୁଷ୍ଠିତ ଅନ୍ୟ ଏକ ସନ୍ଧ୍ୟା ସମୟ ଆନ୍ଦୋଳନରେ ପ୍ରଦର୍ଶନକାରୀମାନେ ପୋଲିସ ଉପରକୁ ଅଣ୍ଡା ଓ ବୋତଲ ଫିଙ୍ଗିଥିଲେ ଏବଂ ବୋନ୍ ସହରରେ ମଧ୍ୟ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


