ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା। ଭିଣୋଇଙ୍କ ଦଶାହ କର୍ମ ତୁଠରେ ଗାଧୋଉଥିବା ସମୟରେ ପାଣିରେ ଫସି ଶଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯୁକୁବୁ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ।
ସୂଚନା ଅନୁସାରେ, ଆଜି ତୁମୁଣି ଗ୍ରାମରେ ବିମଳଙ୍କ ଭିଣୋଇ ଗିରିଶ ବିଶ୍ୱାଳଙ୍କ ଦଶାହ ଶ୍ରାଦ୍ଧ କର୍ମ ଚାଲିଥିଲା। ଏହି ସମ୍ପର୍କୀୟ କାର୍ଯ୍ୟରେ ଯୋଗଦେଇ ବିମଳ ଅନ୍ୟ ସମ୍ପର୍କୀୟଙ୍କ ସହ ମାତେଳିଆ ଯୋର ତୁଠକୁ କ୍ଷୁର ହେବା ପାଇଁ ଯାଇଥିଲେ। କ୍ଷୁର ହେବା ପରେ ସେ ଜୋର ପାଣିରେ ଗାଧୋଉଥିବା ବେଳେ ପ୍ରବଳ ଜଳସ୍ରୋତ ତାଙ୍କୁ ଟାଣି ନେଇଥିଲା। ଫଳରେ ସେ ଯୋର ନିକଟସ୍ଥ ବାଇପାସ୍ ରାସ୍ତାରେ ଥିବା ହୋମ୍ ପାଇପ୍ ଭିତରେ ଫସି ଯାଇଥିଲେ।
ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଜେସିବି ମେସିନ୍ ସାହାଯ୍ୟରେ ପାଇପ୍ ଭିତରୁ ତାଙ୍କୁ ବାହାର କରାଯାଇଥିଲା, ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯିବା ସହ ଉତ୍ତେଜନା ପ୍ରକାଶ ପାଇଛି।


