ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ ଓରାକଲରେ ପୁଣି ଥରେ ବଡ଼ ଧରଣର ଛଟେଇ ଆରମ୍ଭ ହୋଇଛି। କମ୍ପାନୀର ପୁନର୍ଗଠନ ପ୍ରକ୍ରିୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିଭୂମି ଉପରେ କୋଟି କୋଟି ଟଙ୍କାର ଅଧିକ ଖର୍ଚ୍ଚ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରଭାବିତ କର୍ମଚାରୀମାନଙ୍କୁ କୌଣସି ପୂର୍ବ ସୂଚନା ନଦେଇ ସକାଳ ୬ଟାରେ ଇମେଲ୍ ପଠାଇ ଚାକିରିରୁ ବାହାର କରିଦିଆଯାଇଛି।
ଖବର ମୁତାବକ, ସୋମବାର ଭୋର ୪ଟାରୁ କର୍ମଚାରୀମାନଙ୍କର ଅଫିସିଆଲ୍ ଲଗ୍-ଇନ୍ ଆଇଡି, ସ୍ଲାକ୍ ସେସନ୍ ଏବଂ ଅଫିସ ବାଜ୍ ଆକ୍ସେସ୍ କାମ କରିବା ବନ୍ଦ କରିଦେଇଥିଲା। ଠିକ୍ ସକାଳ ୬ଟାରେ କର୍ମଚାରୀମାନଙ୍କୁ ଓରାକଲ୍ ଲିଡରସିପ୍ ତରଫରୁ ଏକ ଇମେଲ୍ ମିଳିଥିଲା, ଯେଉଁଥିରେ ସେମାନଙ୍କ ପଦବୀକୁ ଉଚ୍ଛେଦ କରାଯାଇଥିବା ଏବଂ ସେହି ଦିନହିଁ ସେମାନଙ୍କର ଶେଷ କାର୍ଯ୍ୟଦିବସ ବୋଲି ଦର୍ଶାଯାଇଥିଲା।
ଅଫିସିଆଲ୍ ସିଷ୍ଟମ୍ ବନ୍ଦ ହୋଇଯାଇଥିବାରୁ କର୍ମଚାରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଇମେଲ୍ ଆଇଡି ଦେବାକୁ କୁହାଯାଇଛି, ଯେଉଁଥିରେ ପରେ ଡକ୍ୟୁସାଇନ୍ ମାଧ୍ୟମରେ ସେଭେରାନ୍ସ କାଗଜପତ୍ର ପଠାଯିବ। ଓସିଆଇ ସିକ୍ୟୁରିଟି, କଷ୍ଟମର ସକ୍ସେସ ସର୍ଭିସେସ, ଓରାକଲ ହେଲ୍ଥ, ଏଚଆର ଟେକ୍ନୋଲୋଜି ଏବଂ ଟେକ୍ସାସର ଆବିଲିନ୍ ସାଇଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ କର୍ମଚାରୀଙ୍କୁ ବାହାର କରାଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, କ୍ରମାଗତ ଭାବେ ଉଚ୍ଚ ପ୍ରଦର୍ଶନ ରେଟିଂ ପାଇଥିବା ବ୍ୟକ୍ତି ଏବଂ କମ୍ପାନୀରେ ୨୪ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ବରିଷ୍ଠ ଇଞ୍ଜିନିୟରମାନେ ମଧ୍ୟ ଏହି ଛଟେଇର ଶିକାର ହୋଇଛନ୍ତି। ଆମେରିକା ପରେ ଏବେ ଓରାକଲ୍ ଇଣ୍ଡିଆ ଡେଭେଲପମେଣ୍ଟ ସେଣ୍ଟରରେ ମଧ୍ୟ ୩,୦୦୦ ରୁ ୪,୦୦୦ କର୍ମଚାରୀ ଏବଂ କଷ୍ଟମର ସପୋର୍ଟ ବିଭାଗରୁ ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ଛଟେଇ ହେବାର ଆଶଙ୍କା କରାଯାଉଛି। ଗତବର୍ଷ ମଧ୍ୟ କମ୍ପାନୀ ୨୧,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିସାରିଛି।
ଓରାକଲ୍ ନିଜର କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ଏବଂ କ୍ଲାଉଡ୍ କମ୍ପ୍ୟୁଟିଂର କ୍ଷମତା ବଢ଼ାଇବା ପାଇଁ ବର୍ତ୍ତମାନ ବହୁତ ବଡ଼ ଧରଣର ପୁଞ୍ଜି ନିବେଶ କରୁଛି, ଯାହା ପାଇଁ ପାରମ୍ପରିକ ଟେକ୍ନୋଲୋଜି ବିଭାଗଗୁଡ଼ିକରୁ ବଜେଟ୍ କାଟ୍ କରାଯାଉଛି। କମ୍ପାନୀ ପ୍ରଥମ ତ୍ରୈମାସିକରେ ପୁଞ୍ଜି ବ୍ୟୟ ବାବଦକୁ ପ୍ରାୟ ୨୮.୫ ବିଲିୟନ ଡଲାର ଖର୍ଚ୍ଚ କରିଛି ଏବଂ ଆଗାମୀ ବର୍ଷ ପାଇଁ ଏହି ଖର୍ଚ୍ଚ ୯୦ ରୁ ୯୫ ବିଲିୟନ ଡଲାର ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ନିଜର ପୁନର୍ଗଠନ ଯୋଜନା ଅଧୀନରେ କମ୍ପାନୀ ଆନୁମାନିକ ଖର୍ଚ୍ଚକୁ ଆହୁରି ୭୦୦ ନିୟୁତ ଡଲାର ବୃଦ୍ଧି କରି ମୋଟ ୨.୮ ବିଲିୟନ ଡଲାରରେ ପହଞ୍ଚାଇଛି।


