ଭୁବନେଶ୍ବର: ନୂଆଁଖାଇ’ର ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ। ଏହି ଗସ୍ତ କାଳରେ ସେ ଜିଲ୍ଲାବାସୀଙ୍କୁ ଅନେକ ବିକାଶମୂଳକ ପ୍ରକଳ୍ପର ଭେଟି ଦେବେ। ପ୍ରଶାସନ ଓ ସୁରକ୍ଷା ବାହିନୀ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ସକାଳ ୧୦:୦୦ ଟାରେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ଓହ୍ଲାଇବା ପରେ ସେଠାରୁ ସଡ଼କ ପଥରେ ଯାଇ ନବନିର୍ମିତ ଡପ୍ଲର ରାଡାର ସେଣ୍ଟରର ଉଦ୍ଘାଟନ କରିବେ ଏବଂ ୧୦:୪୫ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ୍ରେ କେତେକ ଆଞ୍ଚଳିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସମ୍ବଲପୁର କାର୍ଯ୍ୟକ୍ରମ ଶେଷ ପରେ କୁଚିଣ୍ଡା ଯାଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବାସଭବନରେ ଏକ ପାରିବାରିକ ସ୍ମୃତିସଭାରେ ଯୋଗଦେବେ ଏବଂ ତା’ପରେ ଭୁବନେଶ୍ୱର ଫେରିଆସିବେ। ଏହି ଗସ୍ତ ସମୟରେ ଅନେକ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ।


