ଭୁବନେଶ୍ୱର: ୨୦୨୭ର ପୌର ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ସଙ୍ଗଠନ ମଜଭୁତ କରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ତୃଣମୂଳସ୍ତରରେ ସଙ୍ଗଠନକୁ ସକ୍ରିୟ କରିବା ସହ ଯୁବପିଢ଼ି ଓ ଜେନ୍-ଜିଙ୍କୁ ନେଇ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି।
ଏହି କ୍ରମରେ ଅକ୍ଟୋବରରେ ଭୁବନେଶ୍ୱରରେ ‘ଛାତ୍ର କି ଗୁଞ୍ଜ’ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେବାର ସମ୍ଭାବନା ରହିଛି। ପ୍ରାୟ ୨୦ ହଜାର ଯୁବକ-ଯୁବତୀ ଏଥିରେ ସାମିଲ ହେବାର ଲକ୍ଷ୍ୟ ରହିଛି।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପାଇଁ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଛି। ତାରିଖ ଓ ସମୟ ଚୂଡ଼ାନ୍ତ ହେବା ପରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଆଗକୁ ବଢ଼ିବ।
ଅନ୍ୟପକ୍ଷରେ, ଅକ୍ଟୋବର ୨ରୁ ନବରଙ୍ଗପୁରରୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଛି। ବିଭିନ୍ନ ବ୍ଲକ୍ରେ ପଦଯାତ୍ରା ମାଧ୍ୟମରେ ସ୍ଥାନୀୟ ସମସ୍ୟା ଉଠାଇବା ସହ କାର୍ଯ୍ୟକର୍ତ୍ତାଙ୍କୁ ସଙ୍ଗଠିତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ, ସମାବେଶ ଓ ଜେନ୍-ଜି କେନ୍ଦ୍ରିକ କାର୍ଯ୍ୟକ୍ରମ ଜାରି ରହିବ। ଜାନୁଆରୀ-ଫେବ୍ରୁଆରୀ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ମଧ୍ୟ ଯୋଜନା ରହିଥିବା ଭକ୍ତ ଦାସ କହିଛନ୍ତି।
୨୦୨୭ର ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ଦଳର ସଙ୍ଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।


