ଭୁବନେଶ୍ବର: ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟର ବିଶେଷ କରି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି ପାଣିପାଗ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ବଙ୍ଗୋପସାଗରରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ୨୩ ସେପ୍ଟେମ୍ବର ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୨୨ ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସମୁଦ୍ରକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୫-୫୫ କିମି ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବର୍ତ୍ତମାନ ବାତ୍ୟାର ସମ୍ଭାବନା ନଥିଲେ ହେଁ ପ୍ରବଳ ବର୍ଷାର ମୁକାବିଲା ପାଇଁ ଶତପ୍ରତିଶତ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିବା ଗଞ୍ଜାମ, ଗଜପତି, ମାଲକାନଗିରି ସହ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ଓ ଆସନ୍ନ ପ୍ରସବା ମହିଳାମାନଙ୍କୁ ଆଗୁଆ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି।
ବାଲିମେଳା ଓ କୋଲାବ ଜଳଭଣ୍ଡାରରେ ଜଳସ୍ତର ସ୍ୱାଭାବିକ ଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୮୪% ଜଳ ରହିଥିବାରୁ ଆବଶ୍ୟକତା ଅନୁଯାୟୀ ଜଳସ୍ତର କମାଇବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ନଦୀବନ୍ଧ ଓ ସଂବେଦନଶୀଳ ତଟବନ୍ଧ ଉପରେ ସତର୍କ ନଜର ରଖାଯାଇଛି। ସମସ୍ତ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ ସହ ଓଡ୍ରାଫ୍ ଏବଂ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ। ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅଗ୍ନିଶମ ସେବା ନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ସଚିବ ଓ ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥିଲେ।


