ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ମେଡିକାଲ ଶିକ୍ଷା ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଶିକ୍ଷା ପାଇଁ ‘ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ୍ ମେଡିକାଲ ସାଇନ୍ସ’ (ଏନ୍ବିଇଏମ୍ଏସ୍) ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ଜଗତସିଂହପୁର, ଜୟପୁର (କୋରାପୁଟ), ଫୁଲବାଣୀ (କନ୍ଧମାଳ), ଢେଙ୍କାନାଳ ଏବଂ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମାନ୍ୟତା ମିଳିଛି। ପ୍ରତ୍ୟେକ ହସ୍ପିଟାଲରେ ୨ଟି ଲେଖାଏଁ, ମୋଟ ୧୦ଟି ସିଟ୍ ଉପଲବ୍ଧ ହେବ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୁଳକୁ ପ୍ରସୂତି ଓ ସ୍ତ୍ରୀରୋଗ ବିଜ୍ଞାନରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ମାନ୍ୟତା ପ୍ରଦାନ କରାଯାଇଛି। ଜଗତସିଂହପୁରରେ ୨ଟି ଏବଂ ଅନୁଗୁଳରେ ୧ଟି ସିଟ୍ ରହିବ। ଏହା ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍, କୋରାପୁଟକୁ ଆନାସ୍େଥସିଓଲୋଜି ଓ ମେଡିସିନରେ ମୋଟ୍ ୪ଟି ଡିଏନ୍ବି ସିଟ୍ ପାଇଁ ନେସନାଲ ବୋର୍ଡ଼ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ ମାନ୍ୟତା ମିଳିଛି। ଏହି ଉପଲବ୍ଧି ଫଳରେ ରାଜ୍ୟର ଜିଲ୍ଲାସ୍ତରୀୟ ଚିକିତ୍ସାଳୟଗୁଡ଼ିକରେ ବିଶେଷଜ୍ଞ ଡାକ୍ତର ତିଆରି ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ସରକାରୀ ଚିକିତ୍ସାଳୟଗୁଡ଼ିକୁ ଉଚ୍ଚମାନର ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣର କେନ୍ଦ୍ର ଭାବେ ବିକଶିତ କରିବା ଆମ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ।


