ଗ୍ରେଟର ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଛି ଭୟାବହ ବସ୍ ଅଗ୍ନିକାଣ୍ଡ। ଯମୁନା ଏକ୍ସପ୍ରେସୱେରେ ଏକ ଚଳନ୍ତା ସ୍ଲିପର ବସ୍ରେ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଥିଲା। ପୁଲିସ ୯ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି।
ଘଟଣାଟି ଯମୁନା ଏକ୍ସପ୍ରେସୱେର ଜେୱର ଥାନା ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁସାରେ, ଏକ୍ସପ୍ରେସୱେର ଜିରୋ ପଏଣ୍ଟଠାରୁ ପ୍ରାୟ ୩୨-୩୩ କିଲୋମିଟର ଦୂରରେ ବସ୍ରେ ହଠାତ୍ ନିଆଁ ଲାଗିଥିଲା। ବସ୍ଟି ରାତିରେ ଯାତ୍ରା କରୁଥିବା ବେଳେ ଅଧିକାଂଶ ଯାତ୍ରୀ ଶୋଇଥିଲେ।
ନିଆଁ ଲାଗିବା ପରେ କିଛି ସମୟ ମଧ୍ୟରେ ଧୂଆଁରେ ବସ୍ ଭିତର ଭରିଯାଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟଙ୍କର ଆତଙ୍କ ଖେଳିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ବସ୍ର ଝରକା ଦେଇ ବାହାରକୁ ଡେଇଁଥିବା ରିପୋର୍ଟ ମିଳିଛି।
ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ସେ ବସ୍ ଭିତରେ ଶୋଇଥିଲେ। ହଠାତ୍ କେହି ତାଙ୍କୁ ଉଠାଇ ବସ୍ରେ ନିଆଁ ଲାଗିଥିବା କହିଥିଲେ। ସେ ଉଠିବା ବେଳକୁ ବସ୍ ଭିତରେ ଘନ ଧୂଆଁ ଭରିଯାଇଥିଲା। ଧୂଆଁ ଯୋଗୁଁ ଭିତରେ କିଛି ଦେଖାଯାଉନଥିବାରୁ ଯାତ୍ରୀମାନେ ବାହାରକୁ ଆସିବା ପାଇଁ ହାତାହାତି କରିଥିଲେ।
ସୂଚନା ମିଳିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀର ଗାଡ଼ି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିକାଣ୍ଡ ପରେ ଏକ୍ସପ୍ରେସୱେରେ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା।
ବସ୍ରେ ନିଆଁ କେଉଁ କାରଣରୁ ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତରେ ଏସି ସିଷ୍ଟମ୍ରେ ସର୍ଟ ସର୍କିଟ୍ ନିଆଁର ସମ୍ଭାବ୍ୟ କାରଣ ହୋଇପାରେ ବୋଲି ପୁଲିସ ସୂତ୍ରରୁ ରିପୋର୍ଟ ହୋଇଛି। ତେବେ ନିଆଁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।


