ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ‘ଇସଲାମିକ୍ ସହଯୋଗ ସଂସ୍ଥା’ (ଓଆଇସି) କଣ୍ଟାକ୍ଟ ଗ୍ରୁପ୍ ଦ୍ୱାରା ଜାରି କରାଯାଇଥିବା ଯୁଗ୍ମ ବିଜ୍ଞପ୍ତି (ଜଏଣ୍ଟ କମ୍ୟୁନିକେ)କୁ ଭାରତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏଥିରେ ଥିବା ସନ୍ଦର୍ଭଗୁଡ଼ିକୁ ’ଅନାବଶ୍ୟକ ଏବଂ ତଥ୍ୟହୀନ’ ଦର୍ଶାଇବା ସହ ଭାରତର ଆଭ୍ୟନ୍ତରୀଣ ମାମଲାରେ କିଛି ବି କହିବା ପାଇଁ ଓଆଇସିର କୌଣସି ଅଧିକାର ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ସମଗ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର “ଅବିଚ୍ଛେଦ୍ୟ ଏବଂ ଅପରିବର୍ତ୍ତନୀୟ ଅଙ୍ଗ”। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରଚାରର ଯେତେ ଥର ପୁନରାବୃତ୍ତି କରାଗଲେ ମଧ୍ୟ ଏହି ଚିରନ୍ତନ ସତ୍ୟତାକୁ ବଦଳାଯାଇପାରିବ ନାହିଁ। ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନର ଅବସରରେ ଓଆଇସି କଣ୍ଟାକ୍ଟ ଗ୍ରୁପ୍ର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଭାରତର ଏହି କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ, ଏଭଳି ଉଦ୍ଦେଶ୍ୟପ୍ରଣୋଦିତ କାହାଣୀଗୁଡ଼ିକୁ ବାରମ୍ବାର ସମର୍ଥନ କରିବା ଦ୍ୱାରା ଓଆଇସିର ନିଜର ବିଶ୍ୱସନୀୟତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପାକିସ୍ତାନକୁ ତାହାର ମନଗଢ଼ା ତଥା ଭ୍ରାମକ ପ୍ରଚାର ଚଲାଇବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ପରିବର୍ତ୍ତେ, ଓଆଇସି ପାକିସ୍ତାନକୁ ନିଜ ଭିତରକୁ ଚାହିଁବା ଏବଂ ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରୁ ସୃଷ୍ଟି ହେଉଥିବା ଆତଙ୍କବାଦର ସମାଧାନ କରିବାକୁ ପରାମର୍ଶ ଦେବା ଉଚିତ୍। କାରଣ ଆତଙ୍କବାଦକୁ ସମର୍ଥନ ଏବଂ ପ୍ରୋତ୍ସାହିତ କରିବାରେ ପାକିସ୍ତାନର ଏକ ସୁବିଦିତ ରେକର୍ଡ ରହିଛି।
୨୦୧୯ ଅଗଷ୍ଟରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରଠାରୁ, ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଏହାକୁ ବିରୋଧ କରିଆସୁଛି। ୫୭ଟି ମୁସଲିମ୍ ବହୁଳ ଦେଶକୁ ନେଇ ଗଠିତ ଓଆଇସିର ଜଣେ ସକ୍ରିୟ ସଦସ୍ୟ ଭାବେ ପାକିସ୍ତାନ ବାରମ୍ବାର ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିଆସୁଛି। ତେବେ ଭାରତ ପ୍ରତିଥର ଏହାକୁ କଡ଼ା ଭାବେ ପ୍ରତ୍ୟାଖ୍ୟାନ କରି ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି।


