ଜାମସେଦପୁର: ଜାମସେଦପୁରର ସୋନାରୀ ଥାନା ଅନ୍ତର୍ଗତ ମାରାଇନ୍ ଡ୍ରାଇଭ୍ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ଭୋର ପ୍ରାୟ ୩ଟା ସମୟରେ ଦୋମୁହାନୀ ନିକଟରେ ଏକ ଦ୍ରୁତଗାମୀ କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ସହ ପିଟିହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ସାନ ଝିଅ ତ୍ରିଶା ସିଂହ ରହିଛନ୍ତି। ମୃତ ଅନ୍ୟ ୩ ଜଣ ହେଲେ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ। ପୋଲିସ ସୂଚନା ଅନୁସାରେ, ଏହି ୪ ଜଣ ଏକ ଧଳା ରଙ୍ଗର ସ୍ୱିଫ୍ଟ କାର୍ରେ ଯାତ୍ରା କରୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ର ଉପରି ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଟ୍ରକ୍ ତଳେ ପଶିଯାଇଥିଲା। ଫଳରେ ୪ ଜଣ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା।


