ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଡାକ୍ତରୀ ଟିମ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ବାଚସ୍ପତିଙ୍କ ଅସୁସ୍ଥତା ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ଏମ୍ସ ହସ୍ପିଟାଲରେ ପହଞ୍ଚି ତାଙ୍କୁ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।
ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଉପସ୍ଥିତ ଥିବା ଚିକିତ୍ସକମାନଙ୍କ ସହ ଆଲୋଚନା କରି ବାଚସ୍ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ବିସ୍ତୃତ ତଥ୍ୟ ନେଇଥିଲେ। ଏଥିସହିତ ତାଙ୍କର ଆଶୁ ଆରୋଗ୍ୟ ଏବଂ ସମ୍ପୂର୍ଣ୍ଣ ସୁସ୍ଥତା କାମନା କରିଛନ୍ତି। ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ଏକ ପୋଷ୍ଟ କରି ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲି। ତାଙ୍କର ଶୀଘ୍ର ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା ନେଇ ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”
ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନ ଚାଲୁଥିବା ସମୟରେ ଏହି ଘଟଣା ଘଟିଛି। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନ ଚାଲୁଥିବା ସମୟରେ ବାଚସ୍ପତି ଅସୁସ୍ଥ ହୋଇପଡ଼ିବାରୁ ରାଜନୈତିକ ମହଲ ଏବଂ ସାଧାରଣରେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଛି।


