ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚ୍ର ବରିଷ୍ଠ ଆଇପିଏସ ଅଫିସର ଡ. ସର୍ବଣା ବିବେକ ଏମ୍। ଶୁକ୍ରବାର ପୋଲିସ ସେବା ଭବନରେ ପହଞ୍ଚି ସେ ଆନୁଷ୍ଠାନିକ ଭାବେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍ପି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଉଥିଲେ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ। ଏହି ବଦଳି ପ୍ରକ୍ରିୟାରେ ସର୍ବଣା ବିବେକ ଏମ୍ଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଥିଲା। ପୂର୍ବତନ ଡିସିପି ଜଗମୋହନ ମୀନା ଚାକିରିରୁ ଇସ୍ତଫା ଦେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି ଖାଲି ପଡ଼ିଥିଲା।
ନିଜର କାର୍ଯ୍ୟଦକ୍ଷତା, ସାହାସିକତା ଏବଂ କଠୋର ଆଇନଶୃଙ୍ଖଳା ପରିଚାଳନା ପାଇଁ ପୂର୍ବରୁ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି ଡ. ସର୍ବଣା ବିବେକ। ଦାୟିତ୍ୱ ଗ୍ରହଣ କରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜଧାନୀରେ ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ଆମ ସମସ୍ତଙ୍କୁ ଗୋଟିଏ ମଜବୁତ ‘ଟିମ୍’ ହୋଇ କାମ କରିବାକୁ ପଡ଼ିବ। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


