Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବର କାର ଚାଳକ ସାବଧାନ, ଗାଡିରେ କଳା କାଚ ଲାଗିଥିଲେ ଦେବେ ଜରିମାନା

ଭୁବନେଶ୍ବର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି।

ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ ପ୍ରଥମେ ଏହା ଛଡାଇବା ପରେ ଯାଇ ଗାଡିକୁ ଛାଡୁଛି। ଯଦି ଦ୍ବିତୀୟ ଥର ଏପରି କରାଯାଏ ଦେବେ ଗାଡିଚଳକଙ୍କୁ ପାଞ୍ଚହଜାର ଟଙ୍କା ଜରିମାନା କରାଯିବ ବୋଲି ପୋଲିସ ସୂଚାଇ ଦେଉଛି।

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ବିଶ୍ବର ପ୍ରମୁଖ ଆଇଟି କଂପାନୀ ‘ଆକ୍ସେଞ୍ଚରର’, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି ।

ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ,ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ଵକର୍ମଚାରୀକାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ଵରେ ପାଖାପାଖି ୭,୪୩,୦୦୦ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥାନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ। ଓଡ଼ିଶାରେ ଆକ୍ସେଞ୍ଚରର ପ୍ରତିଷ୍ଠା ଫଳରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଓଡ଼ିଶା ସମଗ୍ର ଭାରତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଏହି କେନ୍ଦ୍ରକୁ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ଓଡ଼ିଶା ବର୍ଷ-ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଚାଲିଛି,ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାରଆଉ ଏକ ସଫଳ କାହାଣୀ”। ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ଵାରା ପ୍ରଭାବିତ ହୋଇ ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି।

ଆମ ରାଜ୍ୟ ନୂତନ ଚିନ୍ତାଧାରା,ଉଦ୍ଭାବନ ଏବଂ ନୂତନ ଉଦ୍ୟୋଗକୁ ପ୍ରୋଶ୍ଚାହନ ଦେଇ ଦୃଢ଼ ଆତ୍ମବିଶ୍ୱାସର ସହଆଗକୁ ଆଗେଇଚାଲିଛି। ମୋର ଦୃଢବିଶ୍ଵାସ ଯେ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେ କହିଥିଲେ, ଓଡ଼ିଶାରେ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ।

ଉଦ୍‍ଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ୫-ଟି (ଟ୍ରାନ୍ସଫର୍ମେସନ ଇନିସିଏଟିଭ୍‍ସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା,ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ ଡ. ଭାସ୍କର ଘୋଷ,କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଅଜୟ ବିଜ୍ ଏବଂ ଶ୍ରୀ ମହେଶ ଜୁରାଲେ, ଗ୍ଲୋବାଲ ନେଟୱାର୍କ ଏବଂ ଲିଡ୍ – ଆଡଭାନ୍ସ ଟେକ୍ନୋଲୋଜି ସେଣ୍ଟର, ଇଣ୍ଡିଆଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଓଡ଼ିଶା ପ୍ରଯୁକ୍ତି ବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଅତ୍ୟାଧୁନିକ ବୈଷୟିକ ଗବେଷଣା ଏବଂ କନସଲଟିଂ କମ୍ପାନିମାନଙ୍କ ପାଇଁ ନିବେଶ ନିମନ୍ତେ ଏକ ଆକର୍ଷଣୀୟ ରାଜ୍ୟ ପାଲଟିଛି। ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା ସେଣ୍ଟର ପ୍ରତିଷ୍ଠାଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗସୃଷ୍ଟି ହେବାସହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ।

ଏହି ଅବସରରେ ଡ. ଭାସ୍କର ଘୋଷ, ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ କହିଲେ, ଓଡ଼ିଶାରେ ଏହି ନୂତନ ବୈଷୟିକ କେନ୍ଦ୍ରକୁ ପ୍ରତିଷ୍ଠା କରି ଆମେ ଖୁବ ଉତ୍ସାହିତ। ଓଡ଼ିଶା ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷ ପ୍ରତିଭାରେ ସମୃଦ୍ଧ। ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି,ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ମୋର ଦୃଢ ବିଶ୍ୱାସଯେ ଖୁବ ଶୀଘ୍ର ବିଶ୍ଵର ଅନ୍ୟତମ ପ୍ରତିଷ୍ଠିତ ଟେକ-ସିଟି ଭାବରେ ଓଡ଼ିଶା ପରିଗଣିତ ହେବ। ଏହା ବ୍ୟତୀତ ଭାରତରେ ଆମର ସଂପ୍ରସାରଣ ତଥା ଉପସ୍ଥିତି ବିସ୍ତାର କରିବାର ପ୍ରତିବଦ୍ଧତାକୁ ଆମେ ଏହି କେନ୍ଦ୍ର ପ୍ରତିଷ୍ଠାଦ୍ଵାରା ସଫଳ ମଧ୍ୟ କରିପାରିଛୁ।ଭୁବନେଶ୍ୱରରେ ଆମର ଏହି ନୂତନ ବୈଷୟିକ କେନ୍ଦ୍ର କ୍ଲାଉଡ୍ କମ୍ପୁଟିଙ୍ଗ, ଡାଟା ଏନାଲିଟିକ୍ସ ଏବଂ ଏଆଇ ଇତ୍ୟାଦି  ବ୍ୟବହାର କରି ଗ୍ରାହକମାନଙ୍କୁ ଅନନ୍ୟ ସେବା ଯୋଗାଇପାରିବ।ରାଜ୍ୟର ଅଭିବୃଦ୍ଧି କାହାଣୀରେ ଯୋଡିହେବା ସହିତ ନୂତନ ଉଦ୍ଭାବନ ଏବଂ ବିକାଶରେ ଯୋଗଦାନ କରିବାର ସୁଯୋଗକୁ ନେଇ ଆମେ ଉତ୍ସାହିତ।

ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରରେ ଅବସ୍ଥିତ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ୭୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ, ପାଖାପାଖି ୨୦୦୦ କର୍ମଚାରୀ ହାଇବ୍ରିଡ ମଡେଲରେ କାମ କରିବା ପାଇଁ ଏହି କେନ୍ଦ୍ରରେ ସୁବିଧା ରହିଛି । ସୂଚନା ଯୋଗ୍ୟ ଯେ, ଓଡିଶାରେ ଆକ୍ସେଞ୍ଚରର ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଯୋଜନା ରହିଛି ।

ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ, ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣାର କାର୍ଯ୍ୟାଳୟ ପ୍ରତିଷ୍ଠା ଆମ ରାଜ୍ୟରସାମର୍ଥ୍ୟ ଉପରେ ନିବେଶକଙ୍କ ବିଶ୍ୱାସକୁ ସୂଚିତ କରୁଛି। ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ରାଜ୍ୟର ଆଇ.ଟି.ଇକୋସିଷ୍ଟମ୍‍କୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶାର ଯୁବକ-ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ପକ୍ଷରୁଆଇ.ଟି. / ଆଇ.ଟି.ଇ.ଏସ୍. ଓ ଇ.ଏସ୍‍.ଡି.ଏମ୍‍.କ୍ଷେତ୍ରରେ ରାଜ୍ୟକୁ ନିରନ୍ତର ବୃହତ୍ ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଫଳରେ ନିକଟ ଅତୀତରେ ପ୍ରମୁଖ ଆଇଟି/ଆଇଟିଇଏସ୍/ଇଏସଡିଏମଯଥା ଆଇବିଏମ୍, ପିଡବ୍ଲ୍ୟୁସି, ଡେଲୋଇଟ୍, କନକେନ୍ଟ୍ରିକ୍ସ, ହାପିଷ୍ଟ ମାଇଣ୍ଡସ୍, ଇନଫୋସିସ୍ ବିପିଏମ, ସିନୋପ୍ସିସ୍, ଇଆଣ୍ଡୱାଇ, ଚବ୍, ଇଆଣ୍ଡୱାଇ ଏବଂ କଗ୍ନିଜେଣ୍ଟ ଭଳି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ ସଂସ୍ଥା ରାଜ୍ୟରେ ସେମାନଙ୍କର ଗ୍ଲୋବାଲ ଡେଭଲପମେଣ୍ଟ ଏବଂ ଆଉଟସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମା’ ସରସ୍ୱତୀଙ୍କ ପୂଜା କଲେ ଧାରଣାରେ ବସିଥିବା ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଧାରଣାର ଷଷ୍ଠ ଦିନ। ଷଷ୍ଠ ଦିନରେ ମା’ ସରସ୍ଵତୀଙ୍କ ପୂଜା ଥିବାରୁ ବିଦ୍ୟା ଦାୟିନୀ ମା’ ସରସ୍ଵତୀଙ୍କ ପୂଜା ଧାରଣା ସ୍ଥଳରେ ହୋଇଛି।

ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016, RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ନିଯୁକ୍ତି ବାହାର କରୁନାହାଁନ୍ତି, ବୋଲି ମିଳିତ ମଞ୍ଚ ପ୍ରଶ୍ନ କରିଛି।

ଏହି ପୂଜା ଅବସରରେ ମିଳିତ ମଞ୍ଚ ରାଜ୍ୟ ସରକାର‌ଙ୍କୁ ନିବେଦନ କରିଛି। ଆପଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ବିଷୟକୁ ସହୃଦୟତାର ସହ ନେଇ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରନ୍ତୁ ବୋଲି ମିଳିତ ମଞ୍ଚ ଦାବି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଶେଷ ହେଲା ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ)ର ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ପୂର୍ବ କଲି ଆରମ୍ଭ ହୋଇଥିବା ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ଥିଲା ‘ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ’ ବା “ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି” ଆଜି ଶେଷ ହୋଇଛି। ଏହି ସମ୍ମିଳନୀ ଚଳିତ ଫେବୃଆରୀ ୬ ଓ ୭ ଦୁଇ ଦିନ ଧରି ଚାଲିଥିଲା ଯାହା ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି କରିବା ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା।

ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ‘୨୦୭୦ ସୁଦ୍ଧା ଆମକୁ ଅଙ୍ଗାରକାମ୍ଳ ବା କାର୍ବନ ନିର୍ଗମନକୁ ‘ଜିରୋ’ ବା ଶୂନ କରିବା’ ଯେଉଁଥି ପାଇଁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍ ଇକୋନୋମିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏହି ପରି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା।

ପ୍ରଥମ ଦିନ କାର୍ଯକ୍ରମର ଉଦ୍ଘାଟନ ହୋଇଥିଲା ଯେଉଁଥିରେ ଡ଼ କେ.ମୁରୁଗେସାନ (ଆଇଏଫଏସ) ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଓ ରୁଚିକା ଚୌଧୁରୀ ଗୋଭିଲ, (ଆଇଆରଏସ) ଅତିରିକ୍ତ ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ଶୁଭେଛା ଜଣାଇବା ସହ ନିଜର ବାର୍ତ୍ତା ଦେଇଥିଲେ। ଅଭାସି ମାଧ୍ୟମରେ ଏନ ଏନ ସିହ୍ନା (ଆଇଏଏସ୍) ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ବାର୍ତା ଦେଇଥିଲେ। ଏହା ପରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା (ଆଇଏସ) ନିଜର ବକ୍ତ୍ୟବ ରଖିଥିଲେ। ପ୍ରୀତମ ଏସ୍ ପୁରକାୟସ୍ତା ନିର୍ଦ୍ଦେଶକ, ବିପିଏନ୍ଏସ୍ଆଇ ଏହି ସମ୍ମିଳନୀ ମୂଳ ଲକ୍ଷ ଉପରେ ଆଲୋକପାତ କରିଥିଲେ ଓ ନିହାର ରଂଜନ ସାହୁ, ମୁଖ୍ୟ ପରିବେଶ ଓ ପର୍ୟାବରଣ ଇଞ୍ଜିନିୟର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ୟ ଅର୍ପଣ କରିଥିଲେ।

ଏହି ସମ୍ମିଳନୀର ପ୍ରଥମ ଦିନରେ ୩ ଟି ଅଧିବେଶନ ଯେଉଁଥିରେ ଭାରତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣ, ଇସ୍ପାତ ଏବଂ ଆଲୁମିନିୟମ୍ କ୍ଷେତ୍ରରେ ଜଳବାୟୁ ସ୍ଵଚ୍ଛତାରେ ନୂତନତ୍ୱ ଓ ଧାତୁ ଉତ୍ପାଦନର ଭବିଷ୍ୟତ ଓ ଅର୍ଥନୀତି ଉପରେ ଆଲୋଚନା କରାଯାଇଥିଲା। ଦ୍ବିତୀୟ ଦିନରେ ୬ଟି ଅଧିବେଶନ ଯେଉଁଥିରେ ସବୁଜ ସ୍ଥିରତା ପାଇଁ ଧାତୁ ଶିଳ୍ପରେ ସୁରକ୍ଷା ପରିଚାଳନା ବ୍ୟବସ୍ଥା, ଧାତୁ ଓ ଖଣି କ୍ଷେତ୍ରରେ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ମନିଟରିଂରେ ଟେକ୍ନୋଲୋଜିର ବିକାଶ, ନେଟ୍ ଜିରୋ ହାସଲ ପାଇଁ ଆବଶ୍ୟକୀୟ ଅର୍ଥ, ଓ ଜଳବାୟୁ ନିୟନ୍ତ୍ରଣ ଟେକ୍ନୋଲୋଜି ପାଇଁ ପ୍ରତିଭା ଅନ୍ଵେଷଣର ଆବଶ୍ୟକତା ତଥା ସବୁଜ ଧାତୁ ପାଇଁ ବଜାରରେ ସ୍ଥାନ ଉପରେ ଆଲୋଚନା ହୋଇଥିଲା।

ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା-, ପରିବେଶ ମନିଟରିଂ, ଏବଂ ତଥ୍ୟ ହାସଲ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ସମ୍ମିଳନୀ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଥିଲା ଏହି ସମ୍ମିଳନୀ।

Categories
ଆଞ୍ଚଳିକ

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ଵ କ୍ୟାନ୍ସର ଦିବସ ପାଳିତ 

ଭୁବନେଶ୍ବର: ପୂର୍ବ ଭାରତରେ ସେବା ବୃହତ କ୍ୟାନ୍ସର ସେଣ୍ଟର ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ, ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ଅବ୍ୟବହିତ ପୂର୍ବରୁ ଆଜି କ୍ୟାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ  ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କ୍ୟାନ୍ସର ବିଶେଷଜ୍ଞ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ବିଶେଷ ଆଲୋଚନା କରଯାଇଥିଲା।

ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ସତପଥି, ଡ. ସେଖ ଅଲ୍ଲୀ, ଡ. ଅରୟାବନି ଦତ୍ତ, ଓଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଏବଂ କ୍ୟାନ୍ସର ସରଭାଇଭର ସତ୍ବତି ମିଶ୍ର ଏବଂ ଅନେକ ଖ୍ୟାତନାମା ଡକ୍ଟର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ିଏମଇଟି ପ୍ର. ଡ. ସଚିଦାନନ୍ଦ ମହାନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ.

ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ର ର ନିର୍ମାଣ ଦାୟିତ୍ଵ ଇଡକୋ ନେଇଛି।

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିଲେ . ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ହେବ।

ଏହା ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ଏବଂ ଓଡିଆ ଭାଷା ର ଅସ୍ମିତା ର ପରିଚୟ ହେବ ବୋଲି ଶ୍ରୀ କାର୍ତ୍ତିକ ଆଶା ବ୍ୟକ୍ତ କରିଥିଲେ। ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି

ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ କାର୍ତ୍ତିକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି।

ଭବିଷ୍ୟତ ସମ୍ପ୍ରସାରଣ କୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧା କୁ ଦୃଷ୍ଟିରେ ରଖି ତଳେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା।

ପରିସରରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ଶ୍ରୀ କାର୍ତ୍ତିକ ପରାମର୍ଶ ଦେଇଥିଲେ। ୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ , ବିଡିଏ ଉପାଧ୍ୟାକ୍ଷ ଶ୍ରୀ ବଲୱନ୍ତ ସିଂ, ଇଡକୋ ଏମଡି ଶ୍ରୀ ଭୂପିନ୍ଦର ସିଂ ପୁନିଆ , ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ନିର୍ଦେଶକ ଶ୍ରୀ ଦିଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଡିଏର ଜବରଦଖଲ ଉଚ୍ଛେଦ ପାଇଁ ରହିବେ ସ୍ବତନ୍ତ୍ର ପୋଲିସ, ୬୭ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଏଣିକି ରାଜଧାନୀରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଗଠନ ହେବ ସ୍ବତନ୍ତ୍ର ପୋଲିସ ବଳ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଚଢାଉ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଡ କମିଶନର ଅଫ ପୋଲିସ, ୬ ଟି ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏବଂ ୬୦ଟି ପୋଲିସ କନେଷ୍ଟବଳ।

ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଚିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା।

ପ୍ରତି ଟିମ୍‌ରେ ୨ଜଣ ପୁଲିସ୍‌ କନେଷ୍ଟବଳ ରହିବେ। ଏହି ଟିମ୍‌ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଡ କମିଶନର, ୬ ଜଣ ଏଏସଆଇ କାର୍ଯ୍ୟ କରିବେ। ଏହି ପଦବୀଗୁଡିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ।

ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା।ଏହାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ ଦିନ ଏବଂ ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡା ପଦକ୍ଷେପ

ଭୁବନେଶ୍ବର: ଆସନ୍ତାକାଲି ବଡ ଦିନ ଏବଂ କିଛି ଦନ ପରେ ନୂଆବର୍ଷ ପାଳନ ହେବ। ସେଥିପାଇଁ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ଅଧିକ ରଖିବ।

ଏହି ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲିଠାରୁ ରାଜଧାନୀର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ। ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ। ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ହେଉଥିବା ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ପ୍ରାର୍ଥୀ ବୋଲି ଘୋଷଣା କରି ଶ୍ରୀମୟୀଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଆୟୋଜିତ ଜନସଂପର୍କ ପଦ ଯାତ୍ରାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା। କାରଣ ସେ ଏକ ଜନସମାବେଶକୁ ଉଦବୋଧନ ଦେବା ବେଳେ ଶ୍ରୀମୟୀ ହେଉଛନ୍ତି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା କରିଦେଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ କର୍ମୀମାନେ ତାଳି ବାଡେଇ ସ୍ବାଗତ କଲେ ସତ ହେଲେ ଅଡୁଆର ପଡିଗଲେ ଶ୍ରୀମୟୀ।

ଅଶୋକ ପଣ୍ଡା କହିଥିଲେ ଯେ, ଆପଣମାନଙ୍କ ପାଖରେ ଯେ ଛିଡା ହୋଇଛନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିବେ ବୋଲି ନିଷ୍ପତି କରିଛନ୍ତି। ତାଙ୍କ ନିଷ୍ପତିକୁ ଆମେ ସ୍ବାଗତ କରିବା କି ନାହିଁ ? ଏପରି କହି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ପୁଣି ଅଶୋକ କହିଥିଲେ ଯେ, ତାଙ୍କୁ ଜିତାଇବା କି ନାହିଁ ? ସମସ୍ତେ ହଁ କରି ଥିଲେ। ଶେଷରେ ଶ୍ରୀମୟୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆର୍ଶିବାଦ ଭିକ୍ଷା କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ମନ୍ତ୍ରୀ ଅଶୋକ ପଣ୍ଡା ସର୍ବସାଧାରଣରେ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ବୋଲି କିପରି ଘୋଷଣା କଲେ। ଅଶୋକ ପଣ୍ଡା ଜଣେ ପୁରୁଣା ନେତା। ସେ ଜାଣନ୍ତି ବିଜେଡିର ଟିକେଟ କେବଳ ନବୀନ ପଟ୍ଟନାୟକ ଘୋଷଣା କରନ୍ତି ବା ଦଳ ଘୋଷଣା କରେ। ହେଲେ ସେ କିପରି ଘୋଷଣା କରିବେ ବୋଲି ନିଜକୁ ପ୍ରଶ୍ନ ପଚାରିବାର ଥିଲା। ଏପରି ଅନୁଭବି ନେତା ଶ୍ରୀମୟୀଙ୍କ ଉପରେ ବେଶୀ ଖୁସି ହୋଇପଡି ଏପରି କରିଛନ୍ତି କି ବୋଲି ପ୍ରଶ୍ନ ଉଠୁଛି।

ତେବେ ଏହି ଘଟଣାକୁ ନେଇ ନବୀନ ନିବାସ ବେଶ ଗୁରୁତର ସହ ନେଇଛି। କାରଣ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ଦଳୀୟ ବୈଠକରେ ଗୋଟିଏ କଥା କହନ୍ତି। ତାହା ହେଲା ଯେ, ବିଜେଡିରେ କେବଳ ଗୋଟିଏ ଟିକେଟ ନିର୍ଦ୍ଧାରିତ ହୋଇଛି। ସେହି ଟିକେଟଟି ହେଉଛି ନବୀନ ପଟ୍ଟନାୟକଙ୍କର। ତାଙ୍କୁ ଛାଡି ଦେଲେ ଆଉ କାହାର ଟିକେଟ ନିଶ୍ଚିତ ନାହିଁ।

ଏପରି ପରିସ୍ଥିତିରେ ଅଶୋକ ପଣ୍ଡାଙ୍କ ଏହି ଘୋଷଣା ଦଳ ପାଇଁ ଏକ ଅପମାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ଦଳ ଶ୍ରୀମୟୀଙ୍କୁ ଭୁବନେଶ୍ବରରୁ ଛିଡା କରିବ କି ନାହିଁ ତାହା ସନ୍ଦେହରେ ଥିଲା। କାରଣ ଅପରାଜିତାଙ୍କ ସହିତ ସେ ଲଢେଇ କରିପାରିବେ କି ନାହିଁ ଦଳର ଉଚ୍ଚ ନେତୃତ୍ବ ଚିନ୍ତାରେ ଥିଲେ। ହେଲେ ବର୍ତ୍ତମାନ ଯାହା ପରିସ୍ଥିତି ଶ୍ରୀମୟୀଙ୍କ ଭୁବନେଶ୍ବରରେ ପ୍ରାର୍ଥୀ ହେବାରେ ବିରାମ ଲାଗିପାରେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକ ଭୁବନେଶ୍ବର ପାରଦ ୧୩ ଡ଼ିଗ୍ରୀକୁ ଖସିଲା

ଭୁବନେଶ୍ବର: ଚଳିତ ବର୍ଷର ଶୀତ ଋତୁରେ କଟକ ଭୁବନେଶ୍ବର ସହରର ପାରଦ ୧୩ ଡ଼ିଗ୍ରୀକୁ ଖସିଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭୁବନେଶ୍ୱରର ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ କଟକରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।

ଗତକାଲି ରାତିରେ ଦୁଇ ସହରର ତାପମାତ୍ର ବେଶ ହ୍ରାସ ପାଇଥିବାର ଅନୁଭବ କରାଯାଇଥିଲା। କାରଣ ରାତି ଆରମ୍ଭ ହେବା ମାତ୍ରେ ବେଶ ଶୀତ ଅନୁଭବ କରାଯାଉଥିଲା। ଫଳରେ ଗତକାଲି ରାତିରେ ଅନେକ ଦୋକାନ ବଜାର ବହୁପୂର୍ବରୁ ବନ୍ଦ କରିଦେଇଥିଲେ। ତେବେ ଏହି ତାପମାତ୍ରା ଆଗକୁ ଆହୁରି ହ୍ରାସ ପାଇବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଭୁବନେଶ୍ବର ନିକଟସ୍ଥ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ, ସମସ୍ୟା ଅନେକ ସମାଧାନ ଶୂନ

ଭୁବନେଶ୍ୱର: ସାରା ରାଜ୍ୟରେ ବିକାଶର ମହାପର୍ବ ଚାଲିଛି ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ଲିଙ୍ଗିପୁର ପଞ୍ଚାୟତକୁ ଅଣଦେଖା କାହିଁକି? ସ୍ୱାଧୀନତାର ୭୫ ବର୍ଷପରେ ବି ଲିଙ୍ଗିପୁର ପଞ୍ଚାୟତ ବିଏମ୍‌ସିରେ ମିଶିବା ସାତ ସପନ ହୋଇପଡିଛି। ଲିଙ୍ଗିପୁର ପଞ୍ଚାୟତ ଅଧିନରେ ରେଭିନିୟୁ ମାନ୍ୟତା ଭାବେ ଲିଙ୍ଗିପୁର ଓ ରଘୁନାଥପୁର ଆସୁଛି। ଏହି ପଞ୍ଚାୟତଟି ଜାତୀୟ ରାଜପଥ ୨୦୩ କଡରେ ଅବସ୍ଥିତ।

ଭୁବନେଶ୍ୱର ଓ ପୁରୀ ଜାତୀୟ ରାଜପଥ କଡରେ ଏହି ଗ୍ରାମ ଗୁଡିକ ଅବସ୍ଥିତ ସେଗୁଡିକ ହେଲା ବିଜୟ ବିହାର ଗାଙ୍ଗୋତ୍ରୀ ନଗର, ଇନ୍ଦିରା କଲୋନି, ନାଥପୁର, ସନ୍ଥ ବିହାର, ଶ୍ରେଷାଦ୍ରାନଗର, ବାସୁଦେବନଗର, ଜୟକୃଷ୍ଣ ନଗର, ଫେଜ ୧ ଓ ୨, ମୃତ୍ୟୁଞ୍ଜୟ ବିହାର ସୁଭଦ୍ରା ବିହାର, ଜଗନ୍ନାଥ ବିହାର, ଶ୍ରୀ ଜଗନ୍ନାଥ ବିହାର, ନନ୍ଦନ ବିହାର ଓ କଳିଙ୍ଗବିହାର ଇତ୍ୟାଦି। ଲିଙ୍ଗିପୁର ପଞ୍ଚାୟତଟିରେ ସମୁଦାୟ ଲୋକସଂଖ୍ୟା ୨୦୦୦୦(କୋଡିଏ ହଜାର)ରୁ ଉର୍ଦ୍ଧ୍ୱ ହେବ।

ଏହି ପଞ୍ଚାୟତ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି ଏହି ପଞ୍ଚାୟତଟିକୁ ବିଏମ୍‌ସିରେ ମିଶ୍ରିତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରେ ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ ମିଶେଇବା ପାଇଁ। ବର୍ତ୍ତମାନ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ମଧ୍ୟ ବିଏମ୍‌ସି ନିର୍ବାଚନ ସମୟରେ ପ୍ରତିଶ୍ରୃତି ଦେଇଥିଲେ। ବିଏମସିରେ ମିଶାଇବା ପାଇଁ।

ଲିଙ୍ଗିପୁର ଗ୍ରାମ ପଞ୍ଚାୟତରେ ହୋଇଥିବା ସଭା ୨୭.୦୮.୨୦୧୯ ପ୍ରସ୍ତାବ ଆଧାରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଡିଓଙ୍କୁ ସଭାର ବିବରଣୀ ସହ ଏକ ପତ୍ର ସଂଖ୍ୟା ୫୧, ତା. ୬.୩.୨୦୨୦ରେ ପତ୍ର ପ୍ରେରଣ କରିଥିଲେ ଓ ଏହାର ଏକକିତା ନକଲ ବିଧାୟକଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଥିଲା ବୋଲି ତତ୍‌କାଳ ସରପଞ୍ଚ(ଲିଙ୍ଗିପୁର) କହିଛନ୍ତି, କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ।

ଏହା ଦ୍ୱାରା ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ବାସିନ୍ଦାମାନେ ଅବହେଳାର ଶିକାର ହୋଇଆସୁଅଛନ୍ତି। ବିଏମ୍‌ସିର ସାବତପୁଅ ମନୋଭାବ କାରଣରୁ, ମୁନିସିପାଲଟି ହୋଇପାରିନି। ଶାସକ ଦଳର ଅନୁଗାମୀ ଓ ସମର୍ଥକ ହେବା ସତ୍ୱେ ଜାଣିଶୁଣି ବଞ୍ôଚତ କରାଯାଉଛି। ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ବିଏମ୍‌ସି କେତେଗୁଡିଏ, ନୂତନ ୱାର୍ଡ ଗଠନ କରୁଅଛି। ସେଥିରେ ଲିଙ୍ଗିପୁର ଗ୍ରାମପଞ୍ଚାୟତ ନା ନାହିଁ ଯାହା ଅନୁସନ୍ଧନ ସାପେକ୍ଷ।

୫ଟି ଯୁଗରେ ଲିଙ୍ଗିପୁର ପଞ୍ଚାୟତ ଭୁବନେଶ୍ୱର ଉପକଣ୍ଠରେ ଥାଇ ମଧ୍ୟ ହତାସ ଅବସ୍ଥାରେ ଅଛି ବୋଲି ଏଠାକାର କିଛି ଲୋକପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଅସନ୍ତୋଷ ଆଗାମୀ ଦିନରେ ଉଗ୍ରରୂପ ନେଇପାରେ ବୋଲି ଆଲୋଚନା ଚାଲିଛି ଏହା ଆଗାମୀ ଦିନରେ ବିଏମ୍‌ସି ନହେଲେ ଆନ୍ଦୋଳନ ହେବ ବୋଲି ଶୁଣିବାକୁ ମିଳୁଛି। ବିଏମସି ହେବାକୁ ହେଲେ ଯେଉଁ ସବୁ ସର୍ତ ଅଛି ସବୁ ପୁରଣ କରୁଥିବାବେଳେ କାହିଁକି ଅବହେଳିତ? ଏ ସମ୍ବନ୍ଧରେ ମାନ୍ୟବର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସେ ପୂର୍ବଭଳି ପ୍ରତିଶ୍ରୃତି ଦେବାରେ ଅବହେଳା କରୁନାହାନ୍ତି।

ସମୟ କହିବ, ବିଏମ୍‌ସି ଅଧିକାରୀ କେବେ ଲିଙ୍ଗିପୁର ଗ୍ରାମପଞ୍ଚାୟତକୁ ବିଏମ୍‌ସିରେ ମିଶାଉଅଛନ୍ତି ଓ ବିଧାୟକ କି ପଦକ୍ଷେପ ନେଇ ମିଶାଉଛନ୍ତି ବିଏମ୍‌ସିରେ। ଯଦି ତୁରନ୍ତ ଏକାମ୍ର ବିଧାୟକ ବିଏମ୍‌ସି ମେୟରଙ୍କୁ ତାଙ୍କ ସୁପାରିଶ ନପଠାନ୍ତି ସବୁଦିନ ପାଇଁ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଯିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ଓ ଏ ସମ୍ପର୍କରେ ଜନପ୍ରତିନିଧି ମନୋରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣା ସତ୍ୟ ଅଟେ।

ଯଦି ଆମ ଦୁଃଖ ବୁଝାନଯାଏ ଆମେ ଆଇନର ଆଶ୍ରୟ ନେବାକୁ ପଛଘୁଞ୍ଚା ଦେବୁ ନାହିଁ। ଏହି ସମ୍ପର୍କରେ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ସମସ୍ତ ନେତୃମଣ୍ଡଳୀ ଏକ ହୋଇ ଆଗାମୀ ଦିନରେ ସରକାରଙ୍କୁ ଏହାର ଉଚିତ ଯବାବ ଦେବେ ବୋଲି ଆଲୋଚନା ଯୋର ଧରିଛି। ତେଣୁ ସମସ୍ତେ ଆଶାବାଦୀ ନଶ୍ଚିତ ଭାବେ ବିଧାୟକ ମହୋଦୟ ଏ ସମସ୍ତ ଘଟଣାକୁ ବିଚାରକୁ ନେଇ ଲିଙ୍ଗିପୁର ଗ୍ରାମପଞ୍ଚାୟତକୁ ବିଏମ୍‌ସିରେ ମିଶ୍ରଣ କରାଇବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉତ୍କଳ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ପ୍ରଥମ କିଡନୀ ପ୍ରତିରୋପଣ ରୋଗୀ: କିଡନୀ ଦାନ କରିଥିଲେ ଶାଶୁ

ଭୁବନେଶ୍ବର: ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ଆଜି ଡିସ୍ଚାର୍ଜ ହୋଇଛନ୍ତି। ଏବଂ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ ମାନଙ୍କ ଭଳି କାମ କରିପାରିବେ ବୋଲି ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ସିନିୟର କନସୋଲଟାନ୍ଟ ଡାଃ. ଲଲାଟ ବରୁନ ପାତ୍ର କହିଛନ୍ତି।

ରୋଗୀଙ୍କର କିଡନୀ ସମ୍ବନ୍ଧୀୟ ଅସୁବିଧା ଗତ ୬ ମାସ ତଳେ ଜଣା ପଡିଥିଲା। ତେଣୁକରି ସେ ସେବେଠାରୁ ସପ୍ତାହରେ ୩ ଥର ଡାଈଆଲିସିସ କରାଉଥିଲେ। ଶେଷରେ ତାଙ୍କ ଶାଶୁ ତାଙ୍କର ଗୋଟେ କିଡନୀ ତାଙ୍କ ଜ୍ଵାଇଁଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଲେ। ଗତ ମାସ ୨୭.୧୧.୨୦୨୩ ତାରିଖରେ ପୀଡିତଙ୍କ ଠାରେ କିଡନୀ ପ୍ରତିରୋପଣ ହୋଇଥିଲା। ଆଜି ୦୬-୧୨-୨୦୨୩ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ସମୟରେ ହସ୍ପିଟଲରୁ ଡିସ୍ଚାର୍ଜ ହୋଇଛନ୍ତି।

ଏହି ଜଟିଳ କିଡନୀ ଟ୍ରାନ୍ସପ୍ଳାଣ୍ଟଟେସନ ଉତ୍କଳ ହସ୍ପିଟଲର ପ୍ରଥମ କରି ସଫଳତାର ସହ ସଂପୂର୍ଣ୍ଣ ହୋଇଛି। ଡାଃ. ଲଲାଟ ବରୁନ ପାତ୍ର (ନେଫ୍ରୋଲୋଜି), ଡାଃ. ପବିତ୍ର କୁମାର ମିଶ୍ର (ଉରୋଲୋଜି) ଓ ସପୋର୍ଟ ଟୀମର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା।

ଏହି ଅବସରରେ ଟିମ ତରଫରୁ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡାଃ. ଆଦିତ୍ୟ ସାମଲ, ମାନେଜିଙ୍ଗ ଡିରେକ୍ଟର ଡାଃ. ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ଚିଫ ଏକ୍ସେକ୍ୟୁଟିଭ ଅଫିସର ଡାଃ. ଆଶିଷ ଚନ୍ଦ୍ରା ପ୍ରମୁଖ ତାଙ୍କୁ ଉତ୍ସାହିତ କରିଥିବାରୁ ସେ ଧନ୍ୟବାଦ ଅପର୍ଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟାର ପ୍ରଭାବ, ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରୀ

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି।

ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ

ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ।

ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ଵର: ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି। ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ ସ୍ମୁତିଚାରଣ କରାଯାଇଥିଲା।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ବଂସଲ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର‌୍ୟ୍ୟକ୍ଷବଳୀ, କାର‌୍ୟ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।  ସ୍ଵାଧୀନତା ପରେ ୫୫୦ ରୁ ଉର୍ଦ୍ଧ୍ଵ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି। ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତା  ହୋଇ ଚାଲିବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ରହିବା ଉଚିତ ବୋଲି ଶ୍ରୀ ବଂସଲ କହିଥିଲେ। ଏହା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଅପରାଧ ଦମନ କରିବାକୁ ଶ୍ରୀ ବଂସଲ ଆହ୍ଵାନ ଦେଇଥିଲେ।

ଏହି ପ୍ୟାରେଡରେ ଏନଡିଆରଏଫ (ମୁଣ୍ଡଳୀ), ୭ମ ଓଏସଏପି ବାଟାଲିୟନ (ଭୁବନେଶ୍ବର), ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ଓଡ୍ରାଫ, ଫାୟାର ସର୍ଭିସ (କଟକ), ପୋଲିସ କଲର ପାର୍ଟି (କଟକ), ବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ କ୍ଷ  ତାପସ ରଞ୍ଜନ ଦାସ (ଉକ୍ଟଜ୍ଞଜ୍ଞୟଗ୍ଧ.)ପ୍ୟାରେଡର ନେତୃତ୍ଵ ନେଇଥିଲେ।

ଏହି କାର‌୍ୟ୍ୟକ୍ରମରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଏ. ଏମ.  ପ୍ରସାଦ, ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ.ଏ.ପି) ଆର.ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, ପୋଲିସ କମିଶନର (ଭୁବନେଶ୍ବର-କଟକ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସେହିପରି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାରାଯାଇଥିଲା କ୍ଷ ଆଇ.ଜି. (କାର୍ମିକ) ପ୍ରବୀଣ କୁମାର ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଏବଂ ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପ୍ରୟାସ କରିବାକୁ ଶପଥ ପାଠ କରାଇଥିଲେ।

Categories
ବିଶେଷ ଖବର

କଟକ ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ ଭି କେ ପାଣ୍ଡିଆନ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ।

ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ।

ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ ଓ କଟକ ସହର ରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଟିକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଲିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଲିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଲିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତି ଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ 2024 ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ 5T ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ technology ର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।

ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ।

ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।

ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।

ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲକ୍ଟ୍ରୋନିକ୍ସ ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ତୃତୀୟ ଦିନରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ “ଘରେ ଘରେ କଂଗ୍ରେସ-ଘରେ ଘରେ ହାତ” ପଦଯାତ୍ରା ସତ୍ୟନଗର କାଳି ମନ୍ଦରି ଠାରୁ ଆରମ୍ଭ ପଞ୍ଜାବୀ କଲୋନୀ, ଗୁଡ଼ିଆ ସାହି, ହାଉସିଂ ବୋର୍ଡ କଲୋନୀ, ପି ଡବ୍ଲୁ କଲୋନୀ, ତୋଷାଳୀ ପ୍ଲାଜା, ସତ୍ୟନଗର ଦୁର୍ଗା ମଣ୍ଡପ ଛକ ହୋଇ କାଳି ମନ୍ଦିର ପାଖରେ ସମାପ୍ତ ହୋଇଥିଲା ।

କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନେ ୨୩ ବର୍ଷର ଅପାରଗ ଓ ଜନବିରୋଧି ବିଜେଡ଼ି ସରକାର ଏବଂ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କେନ୍ଦ୍ରରେ ଥିବା ଜନବିରୋଧି ମୋଦି ସରକାରର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାକୁ ପ୍ରଚାରପତ୍ର ଦ୍ୱାରା ଘରେ ଘରେ ବାଣ୍ଟି ଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏବଂ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କଂଗ୍ରେସ ଦଳର ବରିଷ୍ଠ ନେତା ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କିଶୋର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ବିଶ୍ୱାଳ, ପ୍ରତିମା ମଲ୍ଲିକ, ବିଶିଷ୍ଟ ଗବେଷକ ତଥା ସମାଜସେବୀ ଅନିଲ ଧିର, ତରୁଣ ମିଶ୍ର, ସୁବତ୍ର ମହାପାତ୍ର, ରଶ୍ମି ମହାପାତ୍ର, କିରଣ ସାହୁ, ଅମିୟ ପାଣ୍ଡବ, କୃଷ୍ଣଚନ୍ଦ୍ର ପତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ବିନୁ ପାଣି, ଅଶୋକ ବିଶ୍ୱାଳ, ପ୍ରଶନ୍ନ ନାୟକ, ଆଶିଷ ମଲ୍ଲିକ ଯୋଗ ଦେଇଥିଲେ।

ସେହିପରି ମହମ୍ମଦ ସାହାନୱାଜ, ଦୀପକ କୁମାର ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜମ୍ବେଶ୍ୱର ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଜୟଶ୍ରୀ ପାତ୍ର, ସୁଭଦ୍ରା ମିଶ୍ର, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମାମିନା ବେହେରା, ବୈଶାଳୀ ପାତ୍ର, ପ୍ରିୟଦର୍ଶିନୀ ବାରିକ, ବିପିନ ବିହାରୀ ରାଉତ, ତାପସ ସେଠୀ, ଅମିୟ ଲେଙ୍କା, ମାନସ ସେଠୀ, ସୁରଜ ରାଉତ, ସୁଭାଷ ପ୍ରଧାନ, ସେକ ତାକୱିନ, ମହମ୍ମଦ ସାହାଦୁଲ୍ଲା, ପ୍ରଭାତ ପ୍ରତାପ ସିଂ, ଅଶୋକ ସାହୁ, ଜି କେଶବ ଦାସ, ରାଜା ରାଓ, ସ୍ପନ୍ଦନ ସ୍ୱାଇଁ, ଦିନେଶ ପରିଡ଼ା, ବାବୁଲି ପରିଡ଼ା, ଜ୍ୟୋତି ପ୍ରକାଶ ପଣ୍ଡା, ଦେବଜ୍ୟୋତି ଜେନା, ନବଜ୍ୟୋତି ଜେନା, ସନ୍ତୋଷ ପ୍ରଧାନ, ଏସ୍‌କେ କାମରୁଦ୍ଦିନ, କୁଳମଣି ସାହୁ, ଦେବାଶିଷ ଦାସ ଏବଂ ଶତାଧିକ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଘର ଦୋହଲି ଯାଉଥିଲା। ପ୍ରାୟ ଅପରାହ୍ନ 2 ଟାରୁ ଏହା ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଚଡଚଡି ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲା।

ଆଜି ଅପରାହ୍ନ ପ୍ରାୟ 2 ଟା ପରେ ଭୁବନେଶ୍ବର ପୁରା ଅନ୍ଧକାରମୟ ହୋଇଯାଇଥିଲା। କଳାହାଣ୍ଡିଆ ମେଘ ପୁରା ରାଜଧାନୀକୁ ଢାଙ୍କି ଦେଇଥିଲା। ଏହାପରେ ପରେ ଘଡଘଡି ଓ ଚଡଚଡିରେ ଆକାଶ ପ୍ରକମ୍ପିତ ହୋଇଯାଇଥିଲା। ଲଗାତର ପଛକୁପଛ ଘଡଘଡ ଚଡଚଡି ଲାଗି ରହିଥିଲା। ଫଳରେ ଲୋକେ ଘର ଭିତରେ ବସି ରହି ଭଗବାନକୁ ଡାକିବାରେ ଲାଗିଥିଲା।

ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଘର ଭିତରେ ପାଣି ପଶିବା ସହିତ ଚଡଚଡିରେ ସେମାନେ ପୁରା ଛାନିଆ ଅବସ୍ଥା ଭିତରେ ଗତି କରୁଥିଲେ। ଆଜି ରାଜଧାନୀରେ ଯେପରି ବର୍ଷା ଓ ବଜ୍ରପାତ ହେଲା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଅନେକ କହନ୍ତି। କାରଣ ଗୋଟିଏ ପରେ ଗୋଟିଏ ଘଡଘଡି ମାରିବା ଅନେକକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ସମୟରେ ଯେଉଁମାନେ ରାସ୍ତାରେ ଗାଡି ଧରି ଯାଉଥିଲେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହୋଇପଡିଥିଲା। ସେମାନେ ଭୟରେ କଲର୍ଭଟ ଭିତରେ ଆଶ୍ରମ ନେଉଥିଲେ। ଏପରିକି ଅନେକ ରାସ୍ତାରେ ଗାଡି ଥୋଇ ନିକଟସ୍ଥ ଦୋକାନ କିମ୍ବା ଘରେ ଆଶ୍ରୟ ନେଇଥିଲେ। ଫଳରେ ରାସ୍ତାରେ ଗାଡି ଜାମ ହୋଇପଡିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଯାଉଥିବାରୁ ଅନେକଙ୍କୁ ଗାଡି ଚଳାଇ ଯିବା ସମ୍ଭବ ମଧ୍ୟ ହୋଇ ନ ଥିଲା।

ଭୁବନେଶ୍ବରର ମୁଖ୍ୟ ରାସ୍ତା ରାଜମହଲରୁ ମାଷ୍ଟରକାଣ୍ଟିନ ମଧ୍ୟରେ ପାଣି ଲହଡି ଭାଙ୍ଗୁ ଥିଲା। ସେହିପରି କଳିଙ୍ଗ ଷ୍ଟାଡିୟମରୁ ପାୱାରହାଉସ ଛକ ପର୍ଯ୍ୟନ୍ତ ପାଣି ଲହଡି ଡିଭାଇଡରରେ ପିଟି ହେଉଥିବାର ଦେଖିବାକୁ ମିଳିଥିଲା। ଚିରାଚରିତ ପାଣିଜମିବା ସ୍ଥାନ ଇସ୍କନ ସାମନାରେ ପୂର୍ବ ପରି କୃତିମ ହ୍ରଦ ସୃଷ୍ଟି ହୋଇଥିଲା। ସେଠାରେ କାର ବୁଡିଯିବାର ଅବସ୍ଥା ପରିଲକ୍ଷିତ ହୋଇଥିଲା।

ବମିଖାଲ, ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ପାଣି ଜମି ରହିଛି। ସେହିପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବର୍ଷାପାଣିରେ ଉବୁଟୁବୁ। ସେହିପରି ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରାସ୍ତାଘାଟରେ ପାଣି ବୁଡ଼ି ରହିଥିବାରୁ ବହୁସ୍ଥାନରେ ଟ୍ରାଫିକ ଜାମ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

Categories
ବିଶେଷ ଖବର

ପାଖେଇଲା ବିଧାନସଭା ନିର୍ବାଚନ, ଭୁବନେଶ୍ବରରେ ପ୍ରାରମ୍ଭିକ ପ୍ରଶିକ୍ଷଣ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ରାଜ୍ୟର ୮୫ ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଆଜି ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନଠାରେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ଦୁଇଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ନିଷ୍ଠାର ସହ ତାଲିମ ଗ୍ରହଣ କଲେ ନିର୍ବାଚନ ପରିଚାଳନା କାର୍ଯ୍ୟ ସୁଗମ ଓ ସରଳ ହୋଇପାରିବ ବୋଲି ଉପସ୍ଥିତ ଥିବା ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ଉଦ୍ଦେଶ୍ୟରେ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ।

ପ୍ରକାଶଥାଉ କି ଏହି ଅଧିକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ତାଲିମ ଓ ଦିଲ୍ଲୀ ଯାଇ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ ଗ୍ରହଣ କରିଛନ୍ତି। ଏଠାରୁ ତୃତୀୟ ପର୍ଯ୍ୟାୟ ତାଲିମ ଗ୍ରହଣ ପରେ ସେମାନେ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ।

ବିଷୟଭିତ୍ତିକ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା, ପୁଲିଙ୍ଗ୍‌ ଦଳ ଓ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା, ମତଦାନ କେନ୍ଦ୍ର, ଆଦର୍ଶ ଆଚରଣବିଧି, ନିର୍ବାଚନ ଖର୍ଚ୍ଚ ତଦାରଖ, ଗଣମାଧ୍ୟମ ଅଭିଯୋଗ, ଏମ୍‌ସିଏମ୍‌ସି, ପେଡ୍‌ ନୁ୍ୟଜ, ଭୋଟର ତାଲିକା: ସୁଇପ୍‌ କାର୍ଯ୍ୟକ୍ରମ, ଇଭିଏମ୍‌, ଭିଭିପ୍ୟାଟ୍‌, ନିର୍ବାଚନ ସାମଗ୍ରୀ, ପୋଷ୍ଟାଲ ବାଲାଟ, ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସବ୍ୟସାଚି ହୋତା, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଏକ ବସ୍ତିରେ ଲାଗିଲା ନିଆଁ, ବଡ ଦୁର୍ଘଟଣାରୁ ରକ୍ଷା କଲା ଅଗ୍ନିଶମ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଭିଏସଏସ ନଗରରେ ଥିବା ହନୁମାନ ବସ୍ତିର ଏକ ଘରେ ନିଆଁ ଲାଗିଯାଇଛି। ଫଳରେ ତିନି ବଖରାରେ ଥିବା ବିଭିନ୍ନ ଜିନିଷ ପୋଡି ଛାରଖାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ହନୁମାନ ବସ୍ତିରେ ଥିବା ନିରୁପମା ଦାସଙ୍କ ଘରୁ ଧୂଆଁ ବାହାରୁଥିବାର ଲକ୍ଷ୍ୟ କରାଯାଇଥିଲା। ତତକ୍ଷଣାତ ସମସ୍ତେ ଘରୁ ବାହାରି ଜିନିଷପତ୍ର ବାହାରକୁ ବାହର କରିବା ପାଇଁ ଚେଷ୍ଠା କରିଥିଲେ। ହେଲେ କେତେକ ଜିନିଷ ରହିଯିବା ଦ୍ବାରା ସେଥିରେ ନିଆଁ ଲାଗିଯାଇଛି।

ତେବେ ଏହି ଦୁର୍ଘଟଣ ସର୍ଟସର୍କିଟ ଯୋଗୁଁ ହୋଇଛି ବୋଲି ଅନୁମାନ କରାଯାଇଛି। ତେବେ ନିଆଁକୁ ଠିକ ସମୟରେ ଆୟତ କରାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି।