Rooftop Sports Turf: ରାଜଧାନୀ ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସମୃଦ୍ଧ କରିବା ଦିଗରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ଲିଙ୍ଗିପୁରଠାରେ ଭୁବନେଶ୍ୱରର ପ୍ରଥମ ଅତ୍ୟାଧୁନିକ ରୁଫ୍ଟପ୍ ସ୍ପୋର୍ଟସ୍ ଟର୍ଫ ‘କ୍ଲାଉଡ୍ ୯ ଟର୍ଫ’ ଉଦ୍ଘାଟିତ ହୋଇଛି। ଆଧୁନିକ କ୍ରୀଡ଼ା ସୁବିଧା ସହ ନିର୍ମିତ ଏହି ଟର୍ଫରେ ଫୁଟବଲ୍ ଓ କ୍ରିକେଟ୍ ଖେଳିବାର ସୁଯୋଗ ରହିଛି। ଏଠାରେ ଫିଫା ପ୍ରମାଣିତ କୃତ୍ରିମ ଘାସ ବ୍ୟବହାର କରାଯାଇଛି।
ଉଦ୍ଘାଟନୀ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟର୍ଫକୁ ଉଦ୍ଘାଟନ କରିଥିଲେ। ଯୁବପିଢ଼ିଙ୍କୁ ପାଠପଢ଼ା ସହ କ୍ରୀଡ଼ା ପ୍ରତି ଆଗ୍ରହୀ କରିବା, ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, ‘ଅଲ୍ ଟାଇମ୍ ଫିଟ୍ନେସ୍’ର ସ୍ୱତ୍ୱାଧିକାରୀ ବିଜନ ବାରିକ, ରାଜେନ୍ଦ୍ର ସମର୍ଥ, ତୋଫାନ ଚନ୍ଦ୍ର ବିଶ୍ୱାଳ ଓ କିରଣ ବିଶ୍ୱାଳଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ‘ବୁଲ୍ସ ଆଇ’ (Bull’s Eye) ଦଳର ଦିବ୍ୟାଙ୍ଗ ଫୁଟବଲ୍ ଖେଳାଳିଙ୍କ ଦ୍ୱାରା ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍। ଖେଳାଳିମାନଙ୍କ ଉତ୍ସାହ, ଆତ୍ମବିଶ୍ୱାସ ଓ କ୍ରୀଡ଼ା ନୈପୁଣ୍ୟ ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏହି ମ୍ୟାଚ୍ କ୍ରୀଡ଼ା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ସମାନ ଅଧିକାର, ସୁଯୋଗ ଓ ସମାବେଶୀ ମନୋଭାବର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଥିଲା।
ସେହିପରି ‘ଉଦୟ ମଞ୍ଜରୀ ଡ୍ୟାନ୍ସ ଏକାଡେମୀ’ର କୁନି କୁନି ନୃତ୍ୟଶିଳ୍ପୀମାନେ ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉତ୍ସବରେ ସାଂସ୍କୃତିକ ମାହୋଲ ସୃଷ୍ଟି କରିଥିଲେ। କ୍ରୀଡ଼ା ଓ କଳା-ସଂସ୍କୃତିର ଏହି ସୁନ୍ଦର ସମନ୍ୱୟ ଉଦ୍ଘାଟନୀ ସମାରୋହକୁ ଅଧିକ ଆକର୍ଷଣୀୟ କରିଥିଲା।
ରାଜଧାନୀର ଶିଶୁ, କିଶୋର, ଯୁବପିଢ଼ି ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ‘କ୍ଲାଉଡ୍ ୯ ଟର୍ଫ’ ଏକ ନୂତନ କ୍ରୀଡ଼ା କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି। ଏହାଦ୍ୱାରା ଫୁଟବଲ୍ ଓ କ୍ରିକେଟ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିପାରିବ। ଭୁବନେଶ୍ୱରରେ ଏକ ସୁସ୍ଥ, ସକ୍ରିୟ ଓ କ୍ରୀଡ଼ାଭିତ୍ତିକ ସମାଜ ଗଠନ ଦିଗରେ ଏହି ପଦକ୍ଷେପ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।


