ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (IOA)ର ମିଳିତ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୯ ତାରିଖ ରବିବାର ଦିନ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍’ (Sundays on Cycle) ଅଭିଯାନର ୧୦୦ତମ ସଂସ୍କରଣ ପାଳିତ ହେବ।
ଏହି ଐତିହାସିକ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ପୁଣେର ପିମ୍ପ୍ରି-ଚିଞ୍ଚୱାଡ଼ଠାରେ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଦେଶର ୧୦୦ଟି ପ୍ରମୁଖ ତଥା ଐତିହ୍ୟସମ୍ପନ୍ନ ସ୍ଥାନ ସମେତ ଅନ୍ୟ ୬୦୦ଟି ସ୍ଥାନରେ ଏହି ଅଭିଯାନ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ବ୍ୟକ୍ତିତ୍ୱ, କ୍ରୀଡ଼ାବିତ୍ ଏବଂ ହଜାର ହଜାର ଫିଟ୍ନେସ୍ପ୍ରେମୀ ସାମିଲ ହେବେ। ଏଥିସହ ମେରା ଯୁବା ଭାରତ (MY Bharat)ର ୧.୫ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବା ସହ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିବେ।
ଏହି ୧୦୦ତମ ସଂସ୍କରଣ ଅଲିମ୍ପିକ୍ର ତିନୋଟି ମୂଳ ମୂଲ୍ୟବୋଧ – ଉତ୍କର୍ଷ, ସମ୍ମାନ ଓ ବନ୍ଧୁତ୍ୱ (Excellence, Respect and Friendship) ପ୍ରତି ସମର୍ପିତ। ଚଳିତ ସଂସ୍କରଣର ବିଷୟବସ୍ତୁ ରହିଛି “Pedalling Towards India’s Olympic Dream” (ଭାରତର ଅଲିମ୍ପିକ୍ ସ୍ୱପ୍ନ ଦିଗରେ ସାଇକେଲ୍ ଯାତ୍ରା)। ଭାରତର କ୍ରୀଡ଼ା ସଫଳତାକୁ ଉତ୍ସବ ଭାବେ ପାଳନ କରିବା, ଏକ ସୁସ୍ଥ ଓ ସକ୍ଷମ ଭାରତ ଗଠନ କରିବା ଏବଂ ଭବିଷ୍ୟତରେ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାର ଭାରତର ସ୍ୱପ୍ନକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଡଃ ମାଣ୍ଡଭିୟଙ୍କ ମାର୍ଗଦର୍ଶନରେ ଡିସେମ୍ବର ୨୦୨୪ରେ ଫିଟ୍ ଇଣ୍ଡିଆ ‘ସଣ୍ଡେଜ୍ ଅନ୍ ସାଇକେଲ୍’ ଅଭିଯାନର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ସାପ୍ତାହିକ ଜନ ଅଭିଯାନରେ ପରିଣତ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍ନେସ୍ କା ଡୋଜ୍, ଆଧା ଘଣ୍ଟା ରୋଜ୍’ ଏବଂ ମେଦବହୁଳତା ବିରୋଧୀ ଅଭିଯାନ (Fight Against Obesity)କୁ ଏହା ଆହୁରି ବ୍ୟାପକ କରିଛି।
ଏହି ଅଭିଯାନ କେବଳ ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କୁ ଏକାଠି କରିବାରେ ସହାୟକ ହୋଇଛି। ଏହାର ୧୦୦ତମ ସଂସ୍କରଣ ଦେଶର ଫିଟ୍ନେସ୍ ଅଭିଯାନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ।
ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ସକାଳ ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଂଶଗ୍ରହଣକାରୀମାନଙ୍କୁ ସକାଳ ୫ଟା ୩୦ ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି। ଏହି ଅବସରରେ ଗଣ ସାଇକେଲ୍ ଶୋଭାଯାତ୍ରା, ବିଭିନ୍ନ ଫିଟ୍ନେସ୍ କାର୍ଯ୍ୟକଳାପ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା ଆଦି ଆୟୋଜିତ ହେବ।
ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଭାରତ ଗଠନ ସହିତ ଦେଶର ଅଲିମ୍ପିକ୍ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ଐତିହାସିକ ସାଇକେଲ୍ ଯାତ୍ରାରେ ସାମିଲ ହେବା ପାଇଁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ପକ୍ଷରୁ ସମସ୍ତ ନାଗରିକଙ୍କୁ ଆହ୍ୱାନ କରାଯାଇଛି।


