ଛତ୍ରପୁର: ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ (ସିଏଚ୍ଓ) ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଅଧିକାରିଣୀ ହେଲେ କାଳୀପଲ୍ଲୀ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ସ୍ୱାଗତିକା ମାଝୀ ଓ ପୋଡ଼ାପଦର ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ରଶ୍ମିତା ସାହୁ।
ସୂଚନାଯୋଗ୍ୟ ଯେ, ନୋଳିଆନୂଆଗାଁରେ ଆୟୋଜିତ ସେକ୍ଟର ବୈଠକରେ ଯୋଗଦେବା ପାଇଁ ଉଭୟ ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ ଅଗସ୍ତି ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନୋଳିଆନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଖବର ପାଇ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ସ୍ୱାଧୀନ କୁମାର ରଥ ଏବଂ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।


