ବାଲିକୁଦା: ପାଟ୍ରୋଲିଂ ବେଳେ ବାଲିକୁଦା ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଅବକାରୀ ଚୋରା କାରବାର ଅଭିଯୋଗରେ କୋଳଥପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ ୩୬.୧୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ନିରଞ୍ଜନ ସାହୁ ଓରଫ ନୀରା (୪୬)ଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ନିରଞ୍ଜନ କୋଳଥପାଟଣା ଗ୍ରାମର ଫକୀରଚରଣ ସାହୁଙ୍କ ପୁଅ। ପାଟ୍ରୋଲିଂ ସମୟରେ ତାଙ୍କ ନିକଟରେ ବିପୁଳ ପରିମାଣର ବିଦେଶୀ ମଦ ଥିବା ଜଣାପଡ଼ିବା ପରେ ପୁଲିସ ଯାଞ୍ଚ କରିଥିଲା। ଏହାପରେ ମଦଗୁଡ଼ିକୁ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି।
ଜବତ ମଦ ମଧ୍ୟରେ ମ୍ୟାକଡୋୱେଲ୍ସ ନମ୍ବର-୧ ରମ୍ର ୧୮୦ ମିଲିଲିଟରର ୪୮ଟି ଏବଂ ୩୭୫ ମିଲିଲିଟରର ୩ଟି ବୋତଲ ରହିଛି। ସେହିପରି ଓଲ୍ଡ ମଙ୍କର ୧୮୦ ମିଲିଲିଟରର ୧୦ଟି ଓ ୩୭୫ ମିଲିଲିଟରର ୨ଟି ବୋତଲ ଜବତ ହୋଇଛି।
ଏହାଛଡ଼ା ରୟାଲ ଷ୍ଟାଗ୍ର ୧୮୦ ମିଲିଲିଟରର ୧୪ଟି ବୋତଲ, ମ୍ୟାକଡୋୱେଲ୍ସ ନମ୍ବର-୧ ହ୍ୱିସ୍କିର ୧୮୦ ମିଲିଲିଟରର ୯୨ଟି ବୋତଲ, ରୟାଲ ଚ୍ୟାଲେଞ୍ଜ ହ୍ୱିସ୍କିର ୧୮୦ ମିଲିଲିଟରର ୨୦ଟି ଓ ୩୭୫ ମିଲିଲିଟରର ୩ଟି ବୋତଲ ଜବତ କରାଯାଇଛି।
ଏହି ଘଟଣାକୁ ନେଇ ବାଲିକୁଦା ଥାନାରେ କେସ୍ ନମ୍ବର ୩୪୩, ତାରିଖ ୨୬ ସେପ୍ଟେମ୍ବର ୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ହୋଇଛି । ପୁଲିସ ନିରଞ୍ଜନ ସାହୁଙ୍କୁ ଗିରଫ କରିବା ପରେ ଅଦାଲତରେ ହାଜର ପାଇଁ ପଠାଇଛି। ଘଟଣାରେ ଅବକାରୀ ମଦର ଉତ୍ସ ଓ ଏହାର କାରବାର ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି।


