ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାର ଅଞ୍ଚଳରୁ ଏକ ଅସହାୟ ହରିଣ ଛୁଆକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଜଙ୍ଗଲରୁ ଛେଳି ପଲ ସହିତ ଗାଁ ଭିତରକୁ ପଶି ଆସିଥିବା ଏହି ହରିଣ ଛୁଆଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ, ଯାହା ପରେ ବନ କର୍ମଚାରୀମାନେ ତୁରନ୍ତ ପହଞ୍ଚି ତାକୁ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗାଁର ଛେଳି ପଲ ନିକଟସ୍ଥ ଜଙ୍ଗଲକୁ ଚରିବା ପାଇଁ ଯାଇଥିଲେ। ଛେଳି ପଲ ଗାଁକୁ ଫେରୁଥିବା ସମୟରେ ଏହି ଛୋଟ ହରିଣ ଛୁଆଟି ଦିଗହରା ହୋଇ ସେମାନଙ୍କ ସାଙ୍ଗରେ ମିଶି ବେଲଘର ଗାଁକୁ ଚାଲିଆସିଥିଲା। ବଜାର ଅଞ୍ଚଳରେ ଏକ ହରିଣ ଛୁଆ ବୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ସଚେତନତା ଦେଖାଇ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇବା ମାତ୍ରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲେ। ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ଛୁଆଟିର ବିଶେଷ ଯତ୍ନ ନିଆଯିବା ସହ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏନେଇ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି ଯେ, ହରିଣ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଏବଂ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାକୁ ପୁଣି ନିରାପଦ ଜଙ୍ଗଲ ପରିବେଶରେ ମୁକ୍ତ କରିଦିଆଯିବ।


