Categories
ଆଜିର ଖବର ରାଜ୍ୟ ଖବର

ସିଆରପିଏଫ୍‌ ଦ୍ୱାରା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସଲି ବେଲଘର ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉପାନ୍ତ ଅଞ୍ଚଳ ଭଦ୍ରନିଗି, ଗୋଚ୍ଛାଗୁଡ଼ା, ନୂଆଗାଁ, ସିରିକି, ସର୍ଲାଘାଟି, ମାର୍ଡିଘାଟି ଗ୍ରାମରେ ସିଆରପିଏଫ୍‌ ୧୨୭ ବାଟାଲିଅନ, ବାଲିଗୁଡ଼ା ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଏଥିସହିତ ଶୀତ ଦିନ ପାଇଁ ସେମାନଙ୍କୁ କମ୍ବଳ ଓ ସୌର ଲଣ୍ଠନ ପ୍ରଦାନ କରାଯାଇଥିଲା। ସାମାଜିକ ବାର୍ତ୍ତା ନେଇ ଗ୍ରାମବାସୀ, ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ୧୨୭ ବାଟାଲିୟନ ବେଲଘର କମାଣ୍ଡାଣ୍ଟ, ଅନ୍ୟ ଅଧିକାରୀ ଓ କର୍ମଚାରୀ, ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ। ସିଆରପିଏଫ କମାଣ୍ଡାଣ୍ଟ ଗଣମାଧ୍ୟମକୁ ସମ୍ବୋଧିତ କରି ମାଓ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଜନସମ୍ପର୍କ ଶିବିରରେ ୩୦୦ରୁ ଅଧିକ ସ୍ଥାନୀୟ ଲୋକ ଯୋଗ ଦେଇ ଲାଭ ନେଇଥିଲେ ଏବଂ ସିଆରପିଏଫର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟଧାରାରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ଲାଭ ସମ୍ପର୍କରେ ସ୍ଥାନୀୟ ଯୁବକମାନଙ୍କୁ କମାଣ୍ଡାଣ୍ଟ ସୂଚନା ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଭାଗରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି ଉଦୟଗିରି ଏନ୍ ଏ ସି ଅଧ୍ୟକ୍ଷାଙ୍କ ପରଲୋକ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନ୍ ଏ ସି ଅଧ୍ୟକ୍ଷା ଜ୍ଞାନପ୍ରଭା ମିଶ୍ରଙ୍କର ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରକାଶ ଥାଉକି ଦିବଙ୍ଗତ ଅଧ୍ୟକ୍ଷା ଜି ଉଦୟଗିରି ଅଞ୍ଚଳରେ ଜଣେ ସମାଜସେବୀ ଓ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ପରିଚିତ। ତାଙ୍କର ମୃତ୍ୟୁରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ରାଜନେତା ଗଣ ଶୋକ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଜୁରିଆପଡ଼ାରେ ଏସଟିଏଫ ର ଚଢାଉ: ବାଘ ଛାଲ ଜବତ, ଦୁଇ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରିଆପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ବାଘ ଛାଲ ଜବତ କରିଛି। ଏଥିରେ ଦୁଇ ଜଣ ବନ୍ୟଜନ୍ତୁ ଶିକାରୀକୁ ଏସଟିଏଫ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଖଜୁରିଆପଡ଼ା ଅଞ୍ଚଳରେ ବେଆଇନ ବାଘ ଛାଲ ଡ଼ିଲ ହେଉଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ସୁଜିତ ରାଜସ୍ବଦୀପ ଏବଂ ଧନଞ୍ଜୟ ବେହେରାଙ୍କୁ ଏସଟିଏଫ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଛାଲ ଜବତ ହୋଇଥିବା ବେଳେ କେସ ନମ୍ବର ୮/୨୩ ରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଏସଟିଏଫ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ବାଘ ଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୭୮ କିଲୋ ଗଞ୍ଜେଇ ଜବତ: ୫ ମହିଳାଙ୍କ ସମେତ ୯ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ୭୮ କିଲୋ ଗଞ୍ଜେଇ ଜବତ କରିବା ସହ ୯ ଜଣଙ୍କୁ ପୋଲିସ ଗିରଫ କରିଛି।

ସୁଚନା ଥାଉକି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ଗୋଟିଏ ସ୍ଥାନରେ ଚଢାଉ କରିଥିଲା। ଏବଂ ସେଠାରୁ ୭୮ କିଲୋ ଗଞ୍ଜେଇ ସହ ଏକ ଅଟୋ ଜବତ୍ କରିଥିଲା। ଏହାସହିତ ୫ ମହିଳାଙ୍କ ସମେତ ୯ ଜଣଙ୍କୁ ଘଟଣାସ୍ଥଳରୁ ଧରିଥିଲା। ସମସ୍ତ ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ମାମଲା ନଂ ୫୧/୨୩ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

“ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ” ଯୋଜନାରେ ସାମିଲ ହେଲା କନ୍ଧମାଳ ଜିଲ୍ଲା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ କନ୍ଧମାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬ ଲକ୍ଷ ୫୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ। ନମ୍ର ସ୍ବଭାବ ଓ ଦୂରଦୃଷ୍ଟି ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି ବିକାଶ ଇତିହାସରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇପାରିଛନ୍ତି ବୋଲି ସେମାନେ କହିଥିଲେ।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେତେକ ହିତାଧିକାରୀଙ୍କୁ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାଶିଙ୍ଗିରେ ଧରଣୀପେନୁ ଯାତ୍ରା: ମାଟି ମାଆକୁ ଶାନ୍ତ କରିବା ପାଇଁ ପୋଢ ବଳି

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା ଦ୍ୱାରା ଭଲ ଫସଲ ହୁଏ ବୋଲି ଲୋକଙ୍କର ଏହି ବିଶ୍ୱାସ ପୂର୍ବରୁ ରହିଥିବାବେଳେ କାଳକ୍ରମେ ସରକାର ଏହାକୁ ଅନ୍ଧ ବିଶ୍ୱାସ ଦର୍ଶାଇବା ସହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି ପୂଜା ବେଳେ ଲୋକଙ୍କ ଚାଷ ଜମିରେ ପଶୁ ବଳି ଦେଲେ ଜମିରେ ଭଲ ଚାଷ ହେଉଥିବା ଏହି ବିଶ୍ୱାସ ଯୋଗୁଁ ଗ୍ରାମାଂଚଳର ଲୋକେ ପଶୁ ବଳି ପ୍ରଥାକୁ ଜାରୀ ରଖିଛନ୍ତି।

ଏପରିକି ପୂର୍ବରୁ ମଣିଷ ବଳି (ମେରିଆ) ପ୍ରଥା ମଧ୍ୟ ଜିଲ୍ଲାରେ ଚାଲି ଆସିଛି। ହେଲେ କାଳକ୍ରମେ ଏହି ପ୍ରଥା ସବୁକୁ ଅନ୍ଧ ବିଶ୍ୱାସ ଭାବରେ ପରିଗଣିତ କରି ସରକାର ବଳି ପ୍ରଥାକୁ ବନ୍ଦ କରିଛନ୍ତି। ଏହାର ପରିଣାମ ସ୍ୱରୁପ କନ୍ଧମାଳ ଜିଲ୍ଲାର ବଲସକୁମ୍ପା ବରାଳଦେବୀ ପୀଠ ଭଳି ଅନେକ ପୀଠରେ ପୂର୍ବରୁ ଚାଲି ଆସିଥିବା ବଳି ପ୍ରଥା ସବୁକୁ ବନ୍ଦ କରାଯାଇଛି। ହେଲେ ଜିଲ୍ଲାରେ କେତେକ ଯଗାରେ ଆଜି ମଧ୍ୟ ମାଟି ପୂଜା କରିବା ନାମରେ କେତେକ ଯାଗାରେ ଏହି ପଶୁ ସମ୍ପଦ ପ୍ରତି କ୍ରୁରତା ଦେଖିବାକୁ ମିଳୁଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଂଚଳର ମହାଶିଙ୍ଗି ପଂଚାୟତର ମାଟାମାହା, ମାଳାଙ୍ଗା ପଦର, ସାକାପାଲି ସମେତ କିଛି ଗ୍ରାମର ଲୋକେ ମିଳିମିଶି ପୋଢ ବଳି ଏବଂ ମାଟି ପୂଜା କରିଛନ୍ତି। ଗାଁର ଏକ ପଡିଆରେ ଗୋଟିଏ ଖୁଣ୍ଟରେ ଗୋଟିଏ ପୋଢକୁ ବନ୍ଧା ଯାଇ ସେଠାରେ ଶତାଧିକ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେହି ପୋଢକୁ ତିଳତିଳ କରି ମାରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମେ ପୋଢକୁ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ତାକୁ ଗୋଡାଇ ଗୋଡାଇ ତାକୁ ହାଲିଆ କରିବା ପରେ ଲୋକମାନେ ସେଠାରେ ତାକୁ ନିର୍ମମ ଭାବରେ ଧାରୁଆ ଛୁରିରେ ଜଣକ ପରେ ଜଣେ କାଟି କାଟି ହତ୍ୟା କରି ଥାଆନ୍ତି। ଏହି ଦୃଶ୍ୟ ଜଣେ ସାଧାରଣ ଲୋକ ଦେଖିବା କଷ୍ଟକର। ଏନିମାଲ କ୍ରୁଏଲିଟିକୁ ବାରଣ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥିବା ସହିତ ଖୋଲା ବଜାରରେ ଛେଳି କୁକୁଡ଼ାଙ୍କୁ ମଧ୍ୟ ମାରିବାକୁ ବାରଣ କରିବା ସହିତ ବୁଲା କୁକୁର ମାନଙ୍କୁ ମଧ୍ୟ ସେମାନଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ମାରିବା ବନ୍ଦ କରାଯାଇଛି। ଏହାସହିତ ବିଭିନ୍ନ ପୂଜା ପାର୍ବଣରେ ବଳି ପ୍ରଥାକୁ ବନ୍ଦ କରିଛନ୍ତି ସରକାର।

ତେବେ ଚାଷ ପାଇଁ ବୈଜ୍ଞାନିକ ପଦ୍ଧତିରେ ଅନେକ ରାସାୟନିକ ସାର ତଥା ଜୈବିକ ସାର ବାହାରିଛି। ଲୋକମାନେ ଚାଷରେ ଏହାକୁ ବ୍ୟବହାର କରି କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ କରୁଛନ୍ତି। ହେଲେ ମାଟି ମାଆକୁ ଖୁସି କରିବା ନାମରେ ଏହି କ୍ରୁରତାର ଆଉ କୌଣସି ଆବଶ୍ୟକତା ନାହିଁ, ବରଂ ଏହା ଦ୍ୱାରା ଆୟୋଜିତ ଏହି ପୋଢ ଯାତ୍ରାରେ ଆଖପାଖରେ ଏହାକୁ ଦେଖୁଥିବା ଛୋଟ ପିଲାଙ୍କ ଭିତରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହେବା ସେମାନଙ୍କ ମାନସିକତାରେ ଏହି ଦୃଶ୍ୟର କୁପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଖପାଖ ଅଂଚଳରେ ଥିବା ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀ ମାନଙ୍କ ଜାଣତରେ ଏହି ପୋଢ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ପଦାଧିକାରୀ ଏବଂ ପୋଲିସ ମଧ୍ୟ ଏଥିରେ କିପରି ନିରବ ଦ୍ରଷ୍ଟା ସାଜିଛନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।