ସିଆରପିଏଫ୍‌ ଦ୍ୱାରା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

Published: Dec 10, 2023, 2:53 pm IST

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସଲି ବେଲଘର ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉପାନ୍ତ ଅଞ୍ଚଳ ଭଦ୍ରନିଗି, ଗୋଚ୍ଛାଗୁଡ଼ା, ନୂଆଗାଁ, ସିରିକି, ସର୍ଲାଘାଟି, ମାର୍ଡିଘାଟି ଗ୍ରାମରେ ସିଆରପିଏଫ୍‌ ୧୨୭ ବାଟାଲିଅନ, ବାଲିଗୁଡ଼ା ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଏଥିସହିତ ଶୀତ ଦିନ ପାଇଁ ସେମାନଙ୍କୁ କମ୍ବଳ ଓ ସୌର ଲଣ୍ଠନ ପ୍ରଦାନ କରାଯାଇଥିଲା। ସାମାଜିକ ବାର୍ତ୍ତା ନେଇ ଗ୍ରାମବାସୀ, ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ୧୨୭ ବାଟାଲିୟନ ବେଲଘର କମାଣ୍ଡାଣ୍ଟ, ଅନ୍ୟ ଅଧିକାରୀ ଓ କର୍ମଚାରୀ, ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ। ସିଆରପିଏଫ କମାଣ୍ଡାଣ୍ଟ ଗଣମାଧ୍ୟମକୁ ସମ୍ବୋଧିତ କରି ମାଓ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଜନସମ୍ପର୍କ ଶିବିରରେ ୩୦୦ରୁ ଅଧିକ ସ୍ଥାନୀୟ ଲୋକ ଯୋଗ ଦେଇ ଲାଭ ନେଇଥିଲେ ଏବଂ ସିଆରପିଏଫର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟଧାରାରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ଲାଭ ସମ୍ପର୍କରେ ସ୍ଥାନୀୟ ଯୁବକମାନଙ୍କୁ କମାଣ୍ଡାଣ୍ଟ ସୂଚନା ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଭାଗରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।

Related posts