ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଜେଲ୍ରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ଅଜଣା ବ୍ୟକ୍ତି ୭ କୋଟି ଟଙ୍କା ବଟି ଦାବି କରିବା ସହ ଟଙ୍କା ନ ଦେଲେ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିଲକ ନଗର ବିଧାୟକ ଜର୍ଣ୍ଣେଲ ସିଂହ ଗତ ନଭେମ୍ବର ୬ ତାରିଖରେ ମୋହାଲି ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏନେଇ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ନିକଟକୁ ଫୋନ୍ କଲ୍ ଏବଂ ହ୍ୱାଟସ୍ଆପ୍ ବାର୍ତ୍ତା ପଠାଇ ଏହି ଧମକ ଦେଇଛନ୍ତି। ଦାବି ମୁତାବକ ୭ କୋଟି ଟଙ୍କା ଦିଆନଗଲେ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା କରାଯିବ ବୋଲି ବାର୍ତ୍ତାରେ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି।
ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ମୋହାଲି ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ବିଭିନ୍ନ ଦଫା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଭାର ସାଇବର ଅପରାଧ ଥାନାର ନିରୀକ୍ଷକ ସୁନୀଲ କୁମାରଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ପକ୍ଷରୁ ଅଭିଯୁକ୍ତର ଫୋନ୍ କଲ୍ ବିବରଣୀ, ଇଣ୍ଟରନେଟ୍ ପ୍ରୋଟୋକଲ୍ ତଥ୍ୟ ଏବଂ ଅବସ୍ଥିତି ସମ୍ପର୍କିତ ସୂଚନା ଯାଞ୍ଚ କରାଯାଇ ତାକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ବିଧାୟକ ଜର୍ଣ୍ଣେଲ ସିଂହ ପ୍ରଶାସନ ନିକଟରେ ଦାବି କରିଛନ୍ତି।


