ନୂଆଦିଲ୍ଲୀ : ଆଗାମୀ ଦୀପାବଳି ଉପଲକ୍ଷେ ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାଣ ଫୁଟାଯିବା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୀପାବଳିରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ବିଚାରପତି ପି.ବି. ଭରାଲେଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ ନା ସମ୍ପୂର୍ଣ୍ଣ ପ୍ରତିବନ୍ଧକ ସପକ୍ଷରେ ଅଛନ୍ତି, ନା ଦିନସାରା (୨୪ ଘଣ୍ଟା) ବାଣ ଫୁଟାଇବାକୁ ଅନୁମତି ଦେବା ସପକ୍ଷରେ। ତେଣୁ ନାଗରିକଙ୍କ ସ୍ୱାସ୍ଥ୍ୟ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ପାଇଁ ଏକ ସନ୍ତୁଳିତ ଓ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ କୋର୍ଟ ସୁପାରିଶ କରିଛନ୍ତି।
ଖଣ୍ଡପୀଠ ଶୁଣାଣି ସମୟରେ ଉଲ୍ଲେଖ କରିଛନ୍ତି ଯେ, ବାଣ ଫୁଟାଇବା ପ୍ରସଙ୍ଗଟି ଲୋକଙ୍କ ଭାବାବେଗ ସହ ଜଡ଼ିତ। ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଲେ ଏହା ଭାବନାକୁ ଆଘାତ ପହଞ୍ଚାଇବ। ଅନ୍ୟପଟେ, ୨୪ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଲେ ଶିଶୁ, ବୟସ୍କ, ଅସୁସ୍ଥ ବ୍ୟକ୍ତି ଏବଂ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ନକାରାତ୍ମକ ପ୍ରଭାବ ପଡ଼ିବ। ଏହି କାରଣରୁ ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ (ସିପିସିବି)ର ରିପୋର୍ଟ ଆସିବା ପରେ ଅନୁମୋଦିତ (ସବୁଜ) ବାଣ ଫୁଟାଇବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଉଚିତ। ପୂର୍ବରୁ ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଶୁଣାଣି କ୍ରମରେ, ବେରିୟମ୍ଯୁକ୍ତ ବାଣର ପ୍ରଭାବ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସିପିସିବିକୁ କୋର୍ଟ ଅଧିକ ସମୟ ପ୍ରଦାନ କରିଛନ୍ତି। ଏହାସହ ଏହି ବିଷୟଟି ଅନ୍ୟ ଏକ ବିଚାରାଧୀନ ମାମଲା ସହିତ ଜଡ଼ିତ ଥିବାରୁ, ଉଭୟ ମାମଲାର ମିଳିତ ଶୁଣାଣି ଏକ ମିଳିତ ଖଣ୍ଡପୀଠ ଦ୍ୱାରା କରାଯିବାକୁ ଅଦାଲତ ସହମତି ପ୍ରକାଶ କରିଛନ୍ତି।
୨୦୧୫ର ଏକ ମାମଲାର ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ଦେଇଛନ୍ତି। ଅକ୍ଟୋବରରୁ ଜାନୁଆରୀ ବା ଫେବୃଆରୀ ମାସ ମଧ୍ୟରେ ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଥିବା ଦିଲ୍ଲୀ ତଥା ଅନ୍ୟାନ୍ୟ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ କଠୋର କଟକଣା ଲଗାଇବା ପାଇଁ ଅଦାଲତ ସମୟ ସମୟରେ ନିର୍ଦ୍ଦେଶ ଦେଇଆସୁଛନ୍ତି। ଏହିକ୍ରମେ ଦିଲ୍ଲୀ-ଏନ୍ସିଆରରେ ନିରନ୍ତର ଖରାପ ବାୟୁ ମାନ ସମସ୍ୟା ହେତୁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଦିଲ୍ଲୀରେ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ।


