ନୂଆଦିଲ୍ଲୀ: ଜିମ୍ବାୱେର ରାଜଧାନୀ ହାରାରେ ନିକଟସ୍ଥ ମାରୋଣ୍ଡେରା ଜିଲ୍ଲାରେ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜିମ୍ବାୱେର ବିଶିଷ୍ଟ ବିଲିୟନେୟାର ବ୍ୟବସାୟୀ ୱିକନେଲ୍ ଚିଭାୟୋ ଏବଂ ତାଙ୍କ ପତ୍ନୀ ଲୁସି ମୁଟେକେଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ଖସିପଡ଼ିବା କ୍ଷଣି ସେଥିରେ ନିଆଁ ଲାଗିଯାଇଥିଲା, ଯାହାଫଳରେ କେହିଜଣ ହେଲେ ବି ଆରୋହୀ ବଞ୍ଚିପାରିନଥିଲେ।
ଜିମ୍ବାୱେ ପୁଲିସ ଓ ସରକାରୀ ପ୍ରଶାସନର ସୂଚନା ଅନୁଯାୟୀ, ଦୁର୍ଘଟଣାଟି ହାରାରେର ଦକ୍ଷିଣ-ପୂର୍ବରେ ଥିବା ମାରୋଣ୍ଡେରାର ଗ୍ରାମାଞ୍ଚଳରେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଏବଂ ୨ ଜଣ ପାଇଲଟ/କ୍ରୁ ସଦସ୍ୟ ଥିଲେ। ହେଲିକପ୍ଟରଟି ଭୂପୃଷ୍ଠରେ ପିଟିହୋଇ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତଦେହଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ପୁଲିସ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଫୋରେନ୍ସିକ୍ ଟିମ୍ ସାହାଯ୍ୟରେ ସ୍ପଷ୍ଟ ପରିଚୟ ସ୍ଥିର କରିବାକୁ ଉଦ୍ୟମ ଚଳାଇଛନ୍ତି।


