Categories
ଆଜିର ଖବର ଜାତୀୟ ଖବର

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ?, ଏଭଳି ଆସିଲା ବଡ ତଥ୍ୟ

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପାଇଁ ସ୍ଥାପିତ କୋର୍ଟ ଅଫ୍ ଇନକ୍ୱାରୀ ରିପୋର୍ଟରୁ ଏକ ବଡ ଖୁଲାସା ହୋଇଛି। ଖରାପ ପାଣିପାଗ ସିଡିଏସ୍ ହେଲିକପ୍ଟର ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଉଛି। ସୂଚନାନୁସାରେ, ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ଲିଗାଲ ୱିଙ୍ଗକୁ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ପଠାଇଛି। ଖୁବ୍ ଶୀଘ୍ର ଏହି ରିପୋର୍ଟ ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ।

ଯଦିଓ ଏହି ରିପୋର୍ଟ ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। କିନ୍ତୁ ସୂତ୍ର ଅନୁଯାୟୀ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା କମିଟି ଜାଣିବାକୁ ପାଇଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ବିବ୍ରତ ହୋଇଥାଇପାରନ୍ତି, ଯାହାଫଳରେ ଦୁର୍ଘଟଣା ହୋଇଯାଇଥିଲା। ବୈଷୟିକ ଭାଷାରେ ଏହାକୁ ସିଏଫଆଇଟି ଅର୍ଥାତ୍ ‘କଣ୍ଟ୍ରୋଲଡ ଫ୍ଲାଇଟ୍ ଇନ୍ ଟୁ ଟେରେନ୍’ କୁହାଯାଏ। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁର୍ଘଟଣାର କାରଣ ଜାଣିବା ପାଇଁ ତ୍ରି-ସେବା ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ; “ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ, ଯେଉଁଥିରେ ଆମେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କୁ ହରାଇଛୁ। ସେମାନେ ଅତି ପରିଶ୍ରମର ସହ ଭାରତର ସେବା କରିଛନ୍ତି। ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ଅଛି।

ଜେନରାଲ ବିପିନ୍ ରାୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ। ସେ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ ଏବଂ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣର ଆଧୁନିକୀକରଣରେ ବହୁତ ସହଯୋଗ କରିଥିଲେ। ରଣନୀତି ପ୍ରସଙ୍ଗରେ ତାଙ୍କର ଅନ୍ତର୍ଦୃଷ୍ଟି ଅତୁଳନୀୟ ଥିଲା। ତାଙ୍କର ପରଲୋକ ମୋତେ ଗଭୀର ଦୁଃଖ ଦେଇଛି। ଓମ୍ ଶାନ୍ତି।

ଭାରତର ପ୍ରଥମ ସିଡିଏସ୍ ଭାବରେ, ଜେନରାଲ ରାୱତ ପ୍ରତିରକ୍ଷା ସଂସ୍କାର ସହିତ ଆମ ସଶସ୍ତ୍ର ବାହିନୀର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ପାଖରେ ସେନାର ବିଭିନ୍ନ ବିଭାଗରେ ସେବା କରିବାର ଗଭୀର ଅଭିଜ୍ଞତା ଥିଲା। ତାଙ୍କର ଅପୂର୍ବ ସେବାକୁ ଭାରତ କେବେ ବି ଭୁଲିପାରିବ ନାହିଁ।”