ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ?, ଏଭଳି ଆସିଲା ବଡ ତଥ୍ୟ

Published: Jan 2, 2022, 11:26 am IST

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପାଇଁ ସ୍ଥାପିତ କୋର୍ଟ ଅଫ୍ ଇନକ୍ୱାରୀ ରିପୋର୍ଟରୁ ଏକ ବଡ ଖୁଲାସା ହୋଇଛି। ଖରାପ ପାଣିପାଗ ସିଡିଏସ୍ ହେଲିକପ୍ଟର ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଉଛି। ସୂଚନାନୁସାରେ, ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ଲିଗାଲ ୱିଙ୍ଗକୁ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ପଠାଇଛି। ଖୁବ୍ ଶୀଘ୍ର ଏହି ରିପୋର୍ଟ ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ।

ଯଦିଓ ଏହି ରିପୋର୍ଟ ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। କିନ୍ତୁ ସୂତ୍ର ଅନୁଯାୟୀ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା କମିଟି ଜାଣିବାକୁ ପାଇଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ବିବ୍ରତ ହୋଇଥାଇପାରନ୍ତି, ଯାହାଫଳରେ ଦୁର୍ଘଟଣା ହୋଇଯାଇଥିଲା। ବୈଷୟିକ ଭାଷାରେ ଏହାକୁ ସିଏଫଆଇଟି ଅର୍ଥାତ୍ ‘କଣ୍ଟ୍ରୋଲଡ ଫ୍ଲାଇଟ୍ ଇନ୍ ଟୁ ଟେରେନ୍’ କୁହାଯାଏ। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁର୍ଘଟଣାର କାରଣ ଜାଣିବା ପାଇଁ ତ୍ରି-ସେବା ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି।

Related posts