କାବୁଲ: ଆଜି ସକାଳେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ପ୍ରାୟ ସକାଳ ୬:୫୯ ରେ ଏହି ଭୂକମ୍ପ ଝଟ୍କା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସାଇସମୋଲୋଜି (ଏନସିଏସ) ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୩ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାବୁଲଠାରୁ ପ୍ରାୟ ୧୬୫ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ (ଏନଏନଡବ୍ଲ୍ୟୁ) ରେ, ୩୫.୯୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୬୮.୭୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଭୂପୃଷ୍ଠରୁ ପ୍ରାୟ ୧୨୬ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ସକାଳୁ ସକାଳୁ ଜୋରଦାର କମ୍ପନ ଅନୁଭୂତ ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଭୂମିକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।


