ଚାନ୍ଦବାଲି: ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପ୍ରତି ଅବହେଳାକୁ ସହ୍ୟ ନକରି ରାଜ୍ୟ ସରକାର ଅତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଗୁରୁତର ଅବହେଳା ଏବଂ ଶୃଙ୍ଖଳାଗତ ନିୟମ ଭଙ୍ଗ ଅଭିଯୋଗରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲି ଅଞ୍ଚଳରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା, ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦାୟିତ୍ୱ ଏବଂ ବ୍ଲକସ୍ତରୀୟ ପ୍ରଶାସନିକ ପରିଚାଳନାରେ ଅନେକ ଅନିୟମିତତା ଦେଖାଦେଇଥିଲା। ବିଶେଷ କରି ଜରୁରୀକାଳୀନ ସେବା ଓ ଜନସାଧାରଣଙ୍କ କାର୍ଯ୍ୟରେ ଅବହେଳା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରୁ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ପହଞ୍ଚିଥିଲା। ଏହି ସମସ୍ତ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ରାଜ୍ୟ ସରକାର ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିଲେ। ପ୍ରଶାସନିକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଡିଓ ଶ୍ରୀ ମହାପାତ୍ରଙ୍କ ବିରୋଧରେ ଏହି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


