ଗଞ୍ଜାମ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ଦିଗପହଣ୍ଡି ଏନ୍ଏସି ପକ୍ଷରୁ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ପରିବେଶକୁ ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ଉଦ୍ଦେଶ୍ୟରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ନିଜେ ସାଇକେଲ ଚଲାଇ ସହର ପରିକ୍ରମା କରିବା ସହ ଲୋକଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି।
ଆଜି ବିଧାୟକ ଶ୍ରୀ ମହାପାତ୍ର ପ୍ରଥମେ ଦିଗପହଣ୍ଡି ପୁଞ୍ଜିକାଆଁ ଛକସ୍ଥିତ ପୋଖରୀରେ ସାମୂହିକ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ନିଜେ ଶ୍ରମଦାନ କରିଥିଲେ। ଏହାପରେ ବଜାରସାହିସ୍ଥିତ ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସ୍ଥାନୀୟ ହନୁମାନ ଛକରୁ ଆୟୋଜିତ ସାମୂହିକ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ସେ ସହର ପରିକ୍ରମା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ସାଇକେଲର ବହୁଳ ବ୍ୟବହାର କରିବାକୁ ସେ ଛାତ୍ରଛାତ୍ରୀ ଓ ସହରବାସୀଙ୍କୁ ନିବେଦନ କରିଥିଲେ।
କାର୍ଯ୍ୟକ୍ରମର ଶେଷ ଭାଗରେ, ୩ ନମ୍ବର ୱାର୍ଡ ପିଏଚ୍ଡି ଅଫିସ ନିକଟସ୍ଥ ସ୍ମାର୍ଟ ପାର୍କ ପରିସରରେ ବୃକ୍ଷଚାରା ରୋପଣ କରାଯାଇଥିଲା। ଏହି ଅବସରରେ ବିଧାୟକ ସହରର ସାମଗ୍ରିକ ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ନେଇ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


