ମୁମ୍ବାଇ : ମୁମ୍ବାଇର ବହୁଚର୍ଚ୍ଚିତ ମିଠି ନଦୀ ପଙ୍କ ଉଦ୍ଧାର (ଡିସିଲ୍ଟିଂ) ଦୁର୍ନୀତି ମାମଲାରେ ପ୍ରସିଦ୍ଧ ବଲିଉଡ୍ ଅଭିନେତା ଡିନୋ ମୋରିଆଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ସେ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହେବା ପରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତାଙ୍କୁ ଜେରା କରିବା ସହ ଗିରଫ କରିଛି। ନଦୀ ସଫେଇ ଏବଂ ମୁମ୍ବାଇର ବନ୍ୟା ନିୟନ୍ତ୍ରଣ ତଥା ଡ୍ରେନେଜ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ନାମରେ ପ୍ରାୟ ୬୫.୫୪ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ଓ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଦୁର୍ନୀତିଗ୍ରସ୍ତ ଠିକାଦାର ଏବଂ ଅଧିକାରୀମାନଙ୍କ ସହ ‘ରାଜ୍’ ଓ ‘ଅକ୍ସର’ ଫେମ୍ ଅଭିନେତା ଡିନୋଙ୍କ ସିଧାସଳଖ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଦିବଙ୍ଗତ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଡିନୋ ମୋରିଆ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଏହାପୂର୍ବରୁ ୨୦୨୫ ମସିହାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଠି ନଦୀ ଦୁର୍ନୀତି ମାମଲାରେ ମୁମ୍ବାଇ ଏବଂ କୋଚିର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା, ଯେଉଁଥିରେ ଡିନୋଙ୍କ ବାସଭବନ ମଧ୍ୟ ସାମିଲ ଥିଲା। ବର୍ତ୍ତମାନ ଇଓଡବ୍ଲ୍ୟୁ ପକ୍ଷରୁ ତାଙ୍କୁ ଅଧିକ ପଚରାଉଚରା ଜାରି ରହିଛି।


