ନୂଆଦିଲ୍ଲୀ: ଆଜି ସକାଳେ ତିବ୍ଦତ ଅଞ୍ଚଳରେ ଏକ ଘଣ୍ଟା ଭିତରେ ଲଗାତର ଦୁଇଟି ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭାରତର ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ର ସୂଚନା ଅନୁସାରେ, ସକାଳ ପ୍ରାୟ ୬ଟା ସମୟରେ ୩.୬ ତୀବ୍ରତାର ପ୍ରଥମ ଭୂକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୫ କିଲୋମିଟର ଗଭୀରତାରେ (୨୯.୬୨୩° ଉତ୍ତର ଅକ୍ଷାଂଶ ଓ ୯୨.୫୦୩° ପୂର୍ବ ଦ୍ରାଘିମା) ଥିଲା। ଏହାର ପ୍ରାୟ ୫୫ ମିନିଟ୍ ପରେ, ସକାଳ ୬:୫୫ ସମୟରେ ୧୪ କିଲୋମିଟର ଗଭୀରତାରେ ୩.୧ ତୀବ୍ରତାର ଅନ୍ୟ ଏକ କମ୍ପନ (୨୮.୪୫୯° ଉତ୍ତର ଅକ୍ଷାଂଶ ଓ ୯୨.୧୯୬° ପୂର୍ବ ଦ୍ରାଘିମା) ରେକର୍ଡ କରାଯାଇଛି।
ତୀବ୍ରତା କମ୍ ଥିବାରୁ ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଧନଜୀବନ ହାନି ଘଟିଥିବା ନେଇ ଖବର ମିଳିନାହିଁ, ତେବେ କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ କିଛି ସ୍ଥାନରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ସମ୍ପୂର୍ଣ୍ଣ ହିମାଳୟ ଓ ତିବ୍ଦତୀୟ ମାଳଭୂମି ଅଞ୍ଚଳ ‘ଭାରତୀୟ’ ଏବଂ ‘ୟୁରେସୀୟ’ ଟେକ୍ଟୋନିକ୍ ପ୍ଲେଟ୍ର ମିଳନସ୍ଥଳରେ ଅବସ୍ଥିତ ଥିବାରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଭୂକମ୍ପ ପ୍ରବଣ କ୍ଷେତ୍ର ଭାବେ ପରିଗଣିତ ହୋଇଥାଏ। ନିକଟ ଅତୀତରେ ନେପାଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଥିବା ବେଳେ ଏହି ପରପର ଦୁଇଟି କମ୍ପନ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ସୃଷ୍ଟି କରିଛି।


