ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ପୁଣିଥରେ ରାଜନୈତିକ ହିଂସା ଏବଂ ଅଶାନ୍ତ ପରିସ୍ଥିତି ଦେଖିବାକୁ ମିଳିଛି। ଗଡ଼ମଧୁପୁର ପଞ୍ଚାୟତ ଅନ୍ତର୍ଗତ ପନ୍ତୁରି ଗାଁରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଦଳର କାର୍ଯ୍ୟକ୍ରମ ସରିବା ପରେ ଏବଂ ପଦଯାତ୍ରା ପରେ ଆୟୋଜିତ ବୈଠକ ସାରି ସେଠାରୁ ବାହାରୁଥିବା ଅବସରରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ସହିତ ତାଙ୍କ ଗାଡ଼ିକୁ ମଧ୍ୟ ଟେକାମାଡ଼ କରାଯାଇ ଭଙ୍ଗାରୁଜା କରାଯାଇଛି।
ସୂଚନା ଅନୁଯାୟୀ, ଶାସକ ଦଳର କର୍ମୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ଜନସମ୍ପର୍କ ଯାତ୍ରାକୁ ଦୃଷ୍ଟିରେ ରଖି ଗଡ଼ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକ ସମାପ୍ତ ହେବା ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଅନ୍ୟାନ୍ୟ ଦଳୀୟ କର୍ମୀମାନେ ସେଠାରୁ ପ୍ରସ୍ତାନ କରୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତଥା ବିରୋଧୀ ଦଳର କର୍ମୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଗାଡ଼ି ଉପରେ ଅତର୍କିତ ଭାବେ ଢ଼େଲା ଓ ଟେକା ମାଡ଼ କରାଯିବା ଫଳରେ ଗାଡ଼ିର କାଚ ଭାଙ୍ଗି ଯିବା ସହିତ ସେଠାରେ ଏକ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଏହି ଆକ୍ରମଣରେ ପୂର୍ବତନ ବିଧାୟକଙ୍କ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଆକ୍ରମଣ ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ତୀବ୍ର ପ୍ରତିବାଦ ଜଣାଇଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ବିଜେଡି କର୍ମୀମାନେ ଯାଜପୁର ସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରି ଦଳୀୟ କର୍ମୀମାନେ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।


