କେନ୍ଦୁଝର: ପିଲାଙ୍କୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି ଏକ ଘରୋଇ ସ୍କୁଲ ଭ୍ୟାନ୍। କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବଣପାର ନିକଟସ୍ଥ ଅରଡେଇ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ତେବେ ଗାଡ଼ି ଭିତରେ କୌଣସି ଛାତ୍ରଛାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି ଏବଂ ଗାଡ଼ି ଚାଳକ ମଧ୍ୟ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ପୃକ୍ତ ସ୍କୁଲ ଭ୍ୟାନ୍ଟି ଛାତ୍ରଛାତ୍ରୀମାନଙ୍କୁ ଘରୁ ଆଣିବା ପାଇଁ ଯାଉଥିଲା। ବଣପାର ନିକଟସ୍ଥ ଅରଡେଇ ନଦୀ ପୋଲ ଅତିକ୍ରମ କରୁଥିବା ସମୟରେ କୌଣସି କାରଣରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଭ୍ୟାନ୍ଟି ପୋଲ ବାଡ଼ା ଭାଙ୍ଗି ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଗାଡ଼ିଟି ତଳେ ପଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟିବା ମାତ୍ରେ ଆଖପାଖରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ତତ୍ପରତା ଦେଖାଇ ପୋଲ ତଳୁ ଗାଡ଼ି ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟର ବିଷୟ ଯେ ଏତେ ଉଚ୍ଚତାରୁ ଗାଡ଼ିଟି ଖସି ପଡ଼ିଥିଲେ ମଧ୍ୟ ଚାଳକଙ୍କର କୌଣସି ଗୁରୁତର ଆଘାତ ଲାଗିନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।


