Categories
ଆଜିର ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇଜଣଙ୍କୁ ନିଲମ୍ବିତ କଲା ବିଜୁ ଜନତା ଦଳ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜୁ ଜନତା ଦଳ ଦୁଇଜଣ ନେତାଙ୍କୁ ନିଲମ୍ବିତ କରିଛି। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସଂପର୍କରେ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ କେନ୍ଦୁଝର ଘଟଗାଁର ନେତା ସଂଜୟ କୁମାର ମିଶ୍ର ଏବଂ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କରୁଣା ସାଗର ଖଟୁଆଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦୁଝରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

ଭୁବନେଶ୍ୱର: କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆଜି କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। ଶ୍ରୀ ମୁଣ୍ଡା ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି। ସେ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି।

ରାଧିକାଦେଇପୁର ଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ମୁଣ୍ଡା କହିଛନ୍ତି, ଗାଁ ସଶକ୍ତ ହେଲେ, କ୍ଷେତ୍ରର ବିକାଶ ହୋଇପାରିବ, ତା’ହେଲେ ଯାଇ ଦେଶ ବିକଶିତ ହୋଇପାରିବ। ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଏସବୁ ଯୋଜନା ଦ୍ୱାରା ସାଧାରଣ ଲୋକମାନେ ସଶକ୍ତ ଓ ସମୃଦ୍ଧ ହେଉଛନ୍ତି। ଏସବୁ ଯୋଜନା ବିଷୟରେ ସୂଚନା ଦେବା ଏବଂ ତୃଣମୂଳ ସ୍ତରରେ ଯୋଜନାର ଶତପ୍ରତିଶତ ପ୍ରସାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମମାଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କୋଟି କୋଟି ଲୋକ ସାମିଲ ହୋଇପାରିଥିବା ଶ୍ରୀ ମୁଣ୍ଡା କହିଥିଲେ। ସେ ଉପସ୍ଥିତ ହିତାଧିକାରୀଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭ ନେବାକୁ ଆହ୍ୱାନ ଦେଇଥିଲେ।

ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡା ଭଣ୍ଡାରିଡିହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସଭାକୁ ସମ୍ବୋଧିତ କରିଛନ୍ତି। ଗ୍ରାମବାସୀଙ୍କୁ ଉଦବୋଧନ ଦେଇ ଶ୍ରୀ ମୁଣ୍ଡା କହିଛନ୍ତି ମୋଦୀଙ୍କ ଗ୍ୟାରେଣ୍ଟୀ ଗାଡ଼ି ଆଜି ସବୁ ପଞ୍ଚାୟତରେ ପହଞ୍ଚୁଛି । ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କ ନିକଟରେ କେନ୍ଦ୍ରୀୟ ଯୋଜନାର ଲାଭ ପହଞ୍ଚାଇବା। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କ ସହ ମିଶି ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି 5ଜଣ ଛାତ୍ରଛାତ୍ରୀ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ ଏହି ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆ ଯାଇ କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ୍ କେମିକାଲ ଇଞ୍ଜିନିୟରିଂ(WASM: MECE)ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଥିଲେ। ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାପାଇଁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ କଠିନ ପରିଶ୍ରମ କରି ନିଜର କ୍ୟାରିଅର୍ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗମାନଙ୍କର ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ଏହା ସମଗ୍ର ବିଶ୍ୱରେ ପରିଚିତ। ଏହି ଶିକ୍ଷାନୁଷ୍ଠାନ ଲଗାତାର ୭ ବର୍ଷ ଧରି ମିନେରାଲ୍ ଏବଂ ମାଇନିଂ ଇଞ୍ଜିନିୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଆସୁଛି। ଏଠାରେ ଅଧ୍ୟୟନ କରିବା ପାଇଁ କେନ୍ଦୁଝର ଜିଲ୍ଲାରୁ ଯେଉଁ ୫ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି ସେମାନେ ହେଲେ, ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ୍ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା। ଏହି ସମସ୍ତ ଛାତ୍ରଛାତ୍ରୀ ପ୍ରଫେସନାଲ୍ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ। ଏଥିପାଇଁ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି। ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍ ରହିଛି। ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ୍ ରେକର୍ଡ଼ ମଧ୍ୟ ରହିଛି।

କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ମଧ୍ୟରେ ହୋଇଥିବା ଏହି ବୁଝାମଣା ପଛରେ ଏକ ବଡ଼ ଏବଂ ମହତ ଉଦ୍ଦେଶ୍ୟ ରହିଛି। କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା ହେବା ସାଙ୍ଗକୁ ଏଠାରେ ଖଣିଜ ସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି। ଏଣୁ ଜିଲ୍ଲାର ଶୈକ୍ଷିତ ବାତାବରଣକୁ ଉତ୍କୃଷ୍ଟତା ପ୍ରଦାନ କରିବା ଏବଂ ଏଠିକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହା ଜିଲ୍ଲା ପ୍ରଶାସନକୁ ଏକ ସୁଯୋଗ ପ୍ରଦାନ କରିଛି। ଏହି ବୁଝାମଣାର ଉଦ୍ଦେଶ୍ୟ କେବଳ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇଦେବା ନୁହେଁ, କେନ୍ଦୁଝର ଜିଲ୍ଲାର ସ୍ଥାନୀୟ ପ୍ରତିଭାମାନଙ୍କର ପରିପୋଷଣ ମଧ୍ୟ ଏହାର ଲକ୍ଷ୍ୟ। ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଞ୍ଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦ୍ଦେଶ୍ୟ। ଯାହାକି ଶୈକ୍ଷିକ ସଫଳତା ଏବଂ ଦାୟିତ୍ୱପୂର୍ଣ୍ଣ ମାନବ ସମ୍ବଳ ପରିଚାଳନାର ଏକ ଉଜ୍ଜଳ ଉଦାହରଣ ରୂପେ ସାବ୍ୟସ୍ତ ହେବ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିପ୍ଲବୀ ଧରଣୀଧରଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: କେନ୍ଦୁଝର ପ୍ରଜାମେଳି ନେତା ବିପ୍ଲବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ୭୯ତମ ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଖିଳ ଭାରତୀୟ ଭୂୟାଁ ସମାଜର କର୍ମକର୍ତ୍ତା ବିଜୟ ନାଏକ, ମାନସୀ ନାଏକ, ନୀଳମଣି ମାଝୀ, ପ୍ରବୀର ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, କର୍ପୋରେଟର ଜୟନ୍ତୀ ସାହୁ, ସାମାଜିକ କର୍ମୀ ସନାତନ ବେହେରା, କବ୍ୟୟତ୍ରୀ ଅନ୍ନଦା ମିଶ୍ର, କେନ୍ଦୁଝର ବିକାଶ ପରିଷଦ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ମାନବିକ ଅଧିକାର ସୁରକ୍ଷା ସହ ବେଠି ବେଗାରୀ, ରାଜ ଅତ୍ୟାଚାର କବଳରୁ ପ୍ରଜାଙ୍କ ସୁରକ୍ଷା ପାଇଁ ଧରଣୀଧରଙ୍କ ତ୍ୟାଗ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ସେ ଅକଥନୀୟ ଅତ୍ୟାଚାର ସହିବା ସହ ନିଜ ଜନ୍ମମାଟି କେନ୍ଦୁଝର ତ୍ୟାଗ କରିଥିଲେ।

ଶେଷ ଜୀବନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ସହ ଶ୍ରୀକ୍ଷେତ୍ର ପୁରୀରେ ସନ୍ନ୍ୟାସୀ ଜୀବନଯାପନ କଲେ। ପରବର୍ତ୍ତୀ ଅବସ୍ଥାରେ ଆଳିରେ ଅବସ୍ଥାନ କରି ଜୈବିକ କୃଷି ଏବଂ ପ୍ରାକୃତିକ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ତାଙ୍କ ତ୍ୟାଗ ଓ ସମର୍ପିତ ସେବା ଯୁବପିଢିକୁ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଦାମୀ ମୋବାଇଲ ପାଇ ଫେରାଇଥିବା ଅଟୋଚାଳକ ସୁଶାନ୍ତ ମାଝୀଙ୍କୁ ତାଙ୍କ ସାଧୁତା ପାଇଁ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ତିନି ଘଣ୍ଟା ପରେ ଆୟତ ହେଲା ନିଆଁ

କେନ୍ଦୁଝର: ଆଜି ସକାଳୁ କେନ୍ଦୁଝର ଡେଲି ମାର୍କେଟରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ନିଆଁର ବେଗ ଏପରି ଥିଲା ଯେ ସେଠାରେ ଛିଡା ହେବା ଅସମ୍ଭବ ହୋଇପଡିଥିଲା। ମାର୍କେଟ ବନ୍ଦଥିବା ବେଳେ ଏହି ଅଗ୍ନକାଣ୍ଡ ଘଟିଛି। ଖବର ପାଇ ଅଗ୍ନଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିଲେ। ହେଲେ ସେମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଯାଇଥିଲା।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବ ବୋଲି ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ୨୫ରୁ ୩୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦୁଝର ଠାରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍‌ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ।

ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା:

୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ବୋର୍ଡ ଅନୁମୋଦନ କରିଥିଲା।

ଇପିଏଫଓର ଭୌତିକ ଭିତ୍ତିଭୂମି ବଢ଼ାଇବା ପାଇଁ ଆଗାମୀ ପାଞ୍ଚ ବର୍ଷ ଲାଗି ସମ୍ଭାବ୍ୟ ଯୋଜନାକୁ ବୋର୍ଡ ଅନୁମୋଦନ କରିଛି ଯେଉଁଥିରେ ଜମି କ୍ରୟ, ଅଟ୍ଟାଳିକା ନିର୍ମାଣ ଏବଂ ସ୍ୱତନ୍ତ୍ର ମରାମତି ସାମିଲ ରହିଛି, ଏଥିପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଧିକ ମଜୁରି ଉପରେ ପେନସନ ଓ ଫାଇଲିଂ ବିକଳ୍ପ ଯୋଗାଇ ଦେବା ଲାଗି ପଦକ୍ଷେପ ଆଦି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅନୁପାଳନ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୋର୍ଡକୁ ଅବଗତ କରାଯାଇଥିଲା।

ଇପିଏଫଓ@2047 ଭିଜନ ଦସ୍ତାବିଜ ଅନୁରୂପ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ)ରେ ଜଣେ ସହଯୋଗୀ ସଦସ୍ୟ ପରିବର୍ତ୍ତେ ମାନ୍ୟତାପ୍ରାପ୍ତ ସଦସ୍ୟଭାବେ ଇପିଏଫଓର ମାନ୍ୟତାକୁ ପରିବର୍ତ୍ତିତ କରିବା ଲାଗି ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଇପିଏଫଓ ଏବଂ ଏନଟିଏ ମଧ୍ୟରେ ଏକ ପ୍ରମୁଖ ବୁଝାମଣାପତ୍ରକୁ ସିବିଟି ଅନୁମୋଦନ କରିଥିଲା। ସାମାଜିକ ସୁରକ୍ଷା ସହାୟତା ଓ ଷ୍ଟେନୋଗ୍ରାଫର କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏମଓୟୁ ଅନୁଯାୟୀ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଅଧିକାରୀ ଓ କର୍ମଚାରୀ ସେବା ସର୍ତ୍ତାବଳୀ) ନିୟାମକ, ୨୦୦୮ରେ ସଂଶୋଧନ ନିମନ୍ତେ ସୁପାରିସ କରିବା ଲାଗି ଏକ କମିଟି ଗଠନକୁ ବୋର୍ଡ ମଞ୍ଜୁର ଦେଇଥିଲା।

ପୋର୍ଟଫୋଲିଓ ମ୍ୟାନେଜରଙ୍କ ଏଏମସି ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବୋର୍ଡ ସେହି ଶ୍ରେଣୀ ପାଇଁ ନିର୍ଦ୍ଧାରିତ ସୀମା ଅଧୀନରେ ନିବେଶର ଯେକୌଣସି ସ୍ୱୀକାର୍ଯ୍ୟ ଶ୍ରେଣୀରେ ଇଟିଏଫ ନିବେଶର ଆୟର ନିବେଶ କରିବାର ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଇପିଏଫଓର ନିଧି ଆପକେ ନିକଟ ୨.୦ ପ୍ରୟାସ ଉପରେ ସିବିଟି ନିକଟରେ ଏକ ଉପସ୍ଥାପନା ଦିଆଯାଇଥିଲା। ପ୍ରତ୍ୟେକ ମାସ ୨୭ ତାରିଖରେ ଦେଶବ୍ୟାପୀ ଏହି ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୁଜରାଟର ଭଦୋଦରା ଏବଂ ଆସାମର ବକ୍ସା ଠାରେ ଜିଲ୍ଲା ଶିବିର ସହିତ ସିବିଟି ସଦସ୍ୟମାନେ ସିଧାସଳଖ ଆଲୋଚନା କରିଥିଲେ। ନିଧି ଆପକେ ନିକଟ ୨.୦ର ସଫଳ ଆୟୋଜନ ପାଇଁ ଶ୍ରୀ ଯାଦବ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର: ବେଆଇନ ଗୋରୁ ବୋଝେଇ ଟ୍ରକରୁ ୭୪ ଗୋରୁ ଉଦ୍ଧାର କଲା ଏସଟିଏଫ, ୨ ଗିରଫ

କେନ୍ଦୁଝର: ଆଜି ଭୋରରୁ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆଘାଟିରେ ଏସଟିଏଫ ଚଢ଼ାଉ କରି ଦୁଇ ଗୋଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି। ସୂଚନା ମୁତାବକ ଉକ୍ତ ସ୍ଥାନ ଦେଇ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାର ଖବର ପାଇ ଏସଟିଏଫ କେନ୍ଦୁଝର ପୋଲିସର ସହାୟତାରେ ଚଢ଼ାଉ କରି ଦୁଇ ଗୋଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି ଯେଉଁଥିରୁ ୭୪ ଗୋଟି ଗୋରୁ ଉଦ୍ଧାର ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଦୁଇ ଅଭିଯୁକ୍ତ ଶେଖ ରାସିଦ ଏବଂ ଶେଖ ରେଜାବୁଲଙ୍କୁ ଗିରଫ କରି କେନ୍ଦୁଝର ଟାଉନ ଥାନାକୁ ହସ୍ତାନ୍ତର କରିଛି ଏସଟିଏଫ। ଅନ୍ୟ ପକ୍ଷେ ଉଦ୍ଧାର ଗୋରୁଙ୍କୁ ବଡ଼ବିଲ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ କେନ୍ଦୁଝର ଟାଉନ ଥାନା ପୋଲିସ କେସ ନମ୍ବର ୪୯୮/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦୁଝର ଜିଲ୍ଲାର ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ କଡା ପଦକ୍ଷେପ ନେବ ରାଜସ୍ବ ବିଭାଗ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ. ଜି. ଆର, ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ,ଏନ. ଆଇ. ସି.ର ବରିଷ୍ଠ ଅଧିକାରୀ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମିଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ୨ ମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜମି ଅଧିଗ୍ରହଣ କାର୍ଯ୍ୟରେ ପରିଲକ୍ଷିତ ଉନ୍ନତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜନସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ୱରିତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାର୍ଟିଫିକେଟ ସେବା ଯଥା ରେସିଡେଣ୍ଟ, ଇନକମ ଓ ଜାତିଗତ ପ୍ରମାଣପତ୍ରରେ କୌଣସି ବିଳମ୍ବ ନକରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘସିପୁରା ତହସିଲ ଅନ୍ତର୍ଗତ ତୋରାଣିଆପାଳ ଗ୍ରାମ ଭୂଲେଖରେ ତୁରନ୍ତ ଦର୍ଶାଇବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

କେନ୍ଦୁଝର ଜିଲ୍ଲାରେ ୧୯୭ ଲଘୁ ଖଣିଜ ଉତ୍ସରୁ ମାତ୍ର ୫୫ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟତଃ ଘସିପୁରା ଓ ଆନନ୍ଦପୁର ଅଂଚଳରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣକୁ ରୋକିବା ଦିଗରେ ଉପ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ କଡା ତାଗିଦ କରାଯାଇଥିଲା । ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ବିଲୁପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜସଂପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲ। ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଦୈତାରୀ ବାଂଶପାଣି ରେଳପଥ ପ୍ରକଳ୍ପ, ସିଂଘଡା ବିଞ୍ଜବାହାଲ ଓ ପାଣିକୋଇଲି ରିମୁଳି ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ଜାତୀୟ ରାଜପଥ ୨୦ରେ ରିମୁଲି କୋଇଡା ମଧ୍ୟରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆନନ୍ଦପୁର ବ୍ୟାରେଜ, କାନପୁର ଓ ଦେଓ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣକୁ ପ୍ରାଥମିକତା ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ ୩୦ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ଏପ୍ରିଲ ୩୦ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ନୂତନ ରାଜସ୍ୱ ନିରୀକ୍ଷକମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନର୍ମାଣ ଦିଗରେ ଏପ୍ରିଲ ୧୫ ସୁଦ୍ଧା ଜାଗା ଚିହ୍ନଟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଏହିପରି ଆଭାସୀ ରାଜସ୍ୱ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଜିଲ୍ଲା ସହ ଅନୁଷ୍ଠିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କେନ୍ଦୁଝରର ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪ ଶହ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

କେନ୍ଦୁଝରକୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ଗଢିବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି । କେନ୍ଦୁଝରର ସବୁ ଗାଁ, ସବୁ ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଜନଜାତି ଭାଇ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ କୁକୁଡା ପାଳନ ପ୍ରକଳ୍ପ (Mega Poultry Project) ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ୩୦ ହଜାର ଜନଜାତି ଭାଇ ଭଉଣୀ ଉପକାର ପାଇବେ ବୋଲି ସେ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଇସ୍ପାତ କାରଖାନା, ଜିଲ୍ଲାବାସୀଙ୍କ ସ୍ବାଗତ

ଭୁବନେଶ୍ବର, କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାବାସୀ ସ୍ବାଗତ କରିଛନ୍ତି । ଚମ୍ପୁଆର କରା ଖେନ୍ଦ୍ରା ଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ପାଇଁ ଜିଲ୍ଲାର ନାଗରିକ ମାନଙ୍କ ପକ୍ଷରୁ ଏକ ଧନ୍ୟବାଦ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।

ଧନ୍ୟବାଦର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ତାଙ୍କର ବହୁ ଦିନର ଇଚ୍ଛା ଥିଲା । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ଓ ସବୁ ବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ । ଆଜି ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର‌୍ୟ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝରରେ ଖୁବ ଶୀଘ୍ର ସରକାରୀ ମେଡିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । କେନ୍ଦୁଝରରେ ଏକ ନୂଆ ନର୍ସିଙ୍ଗ କଲେଜ ଖୋଲାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ଵାରା ସାରା ଜିଲ୍ଲାର ପ୍ରତି ଘରେ ଘରେ ପାଇପ ଯୋଗେ ଭଲ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥି ସହିତ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର‌୍ୟ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। ତେଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପୂର୍ବତ୍ତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ କାଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ , ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ଜିଲ୍ଲାର ବିଧାୟକଗଣ , ପଦ୍ମଶ୍ରୀ ଦୈତାରୀ ନାୟକ , କେନ୍ଦୁଝର ନାଗରିକ ଫୋରୋମ , ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସିଲ୍‌

କେନ୍ଦୁ୍‌ଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସିଲ୍‌ ହୋଇଛି। ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ପରେ ସମ୍ପୃକ୍ତ ବିଭାଗ ସିଲ୍‌ କରାଯାଇଛି। ହସ୍ପିଟାଲର ପରିସର ମୁଖ୍ୟ କୋଠାକୁ ସ୍ଥାନାନ୍ତର ହୋଇଛି ସ୍ତ୍ରୀ ଓ ପ୍ରସୂତି ବିଭାଗ । ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା 40 ଜଣଙ୍କୁ କ୍ବାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୋଟ୍‌ 2 ଜଣ କରୋନା ଯୋଦ୍ଧା ପଜିଟିଭ୍‌ ହୋଇଥିବାର ସୂଚନା ରହିଛି । ଆଜି କେନ୍ଦୁଝରରୁ ମୋଟ୍‌ 48 ଆକ୍ରାନ୍ତଙ୍କୁ ମଧ୍ୟରୁ ବଡବିଲର 34 ଜଣ ରହିଥିବାବେଳେ ଅନ୍ୟ ସବୁ ଲୋକାଲ୍‌ କେସ୍‌ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ।

Categories
ଆଜିର ଖବର ରାଜ୍ୟ ଖବର

500 ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ 101 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 101 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରୁ ସର୍ବାଧିକ 52, ବାଲେଶ୍ବରରୁ 33, ଯାଜପୁରରୁ 7, ସୁନ୍ଦରଗଡରୁ 7, କେନ୍ଦୁଝରର 2ଜଣ ଆକ୍ରାନ୍ତ ରହିଚନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 538ରେ ପହଞ୍ଚିଛି । ସେହିପରି କରୋନା ସଂକ୍ରମଣରୁ ଭଲ ହୋଇଛନ୍ତି 116ଜଣ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ 419 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି ।

ସେହିପରି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 210ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90ରେ ପହଞ୍ଚିଛି ।  ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଛି ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଓ କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିହ୍ନଟ ହେଲେ ଆଉ ଦୁଇ କରୋନା ପଜିଟିଭ

ଭୁବନେଶ୍ୱର: ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ।  କେନ୍ଦୁଝର ଜିଲ୍ଲାରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରର ହାଟଡିହି ବ୍ଲକ୍‌ର ଢେଙ୍କା ପଞ୍ଚାୟତ ଓ ଧନୁର୍ଜୟପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତ ସୁରତରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦୁଝରରେ ଏବ ସଂକ୍ରମିତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି।

ତେବେ ଆଜି ସକାଳେ 23ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ 15 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ତିନି ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ତେବେ ସନ୍ଧ୍ୟାରେ କେନ୍ଦୁଝରରୁ ଦୁଇ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନକରେ 25 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା 116ରେ ପହଞ୍ଚିଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 439ରେ ପହଞ୍ଚିଛି।