କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଧୁରପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଏକ ଦମ୍ପତିଙ୍କର ଦୁଃଖଦ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଦମ୍ପତି ବାଇକରେ ଯାଉଥିବା ସମୟରେ ଧୁରପଦା ନିକଟରେ ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକରୁ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକଟି ତେଲକୋଇ ବ୍ଲକ ଜଗମୋହନ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଥିବା ବେଳେ, ଦୁର୍ଘଟଣା ପରେ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି।
ଖବର ପାଇ କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଦମ୍ପତିଙ୍କ ସଠିକ୍ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାରୁ ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ଓ ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଏହାସହ ଫେରାର ଟ୍ରକକୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।


