ଭୁବନେଶ୍ୱର: ସରକାରୀ ପଦବୀର ଦୁରୁପଯୋଗ କରି ବିପୁଳ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଗିରଫ ହୋଇଛନ୍ତି ବେତନଟୀ R&B (ରାସ୍ତା ଓ କୋଠାବାଡ଼ି) ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି । ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଅପରେସନରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନେକ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇ ଯାଞ୍ଚ ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ଚଢ଼ାଉ ସମୟରେ ଯନ୍ତ୍ରୀଙ୍କର ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଠାବ ହୋଇଛି। ଜବତ ସମ୍ପତ୍ତି ମଧ୍ୟରେ ୬୯ ଲକ୍ଷରୁ ଅଧିକ ନଗଦ ଟଙ୍କା, ୩୦୦ ଗ୍ରାମର ସୁନା ଗହଣା, ଦୁଇଟି ସ୍ଥାନରେ ସୁଉଚ୍ଚ କୋଠା ଏବଂ ୫ ଏକର ପରିମିତ ଜାଗାରେ ଏକ ବିଶାଳ ଫାର୍ମ ହାଉସ୍ ରହିଛି। ଏହା ବ୍ୟତୀତ ବିଭିନ୍ନ ପ୍ରମୁଖ ସ୍ଥାନରେ ତାଙ୍କ ନାମରେ ୨୩ରୁ ଅଧିକ ମୂଲ୍ୟବାନ ପ୍ଲଟ୍ ରହିଥିବା ଭିଜିଲାନ୍ସ ଆକଳନରୁ ଜଣାପଡ଼ିଛି। ଯନ୍ତ୍ରୀଙ୍କର ବ୍ୟାଙ୍କ ଆକାଉଣ୍ଟ, ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ବିନିଯୋଗର ଅଧିକ ଖୋଳତାଡ଼ ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।


